୩୨ ହଜାର ଫୁଟ ଉପରେ ବିମାନ, ଖସି ପଡିଲା ଇଞ୍ଜିନ ! କଣ କଲେ ପାଇଲଟ ?

29

ଆମେରିକାରେ ଏକ ଯାତ୍ରୀ ବିମାନର ଇଞ୍ଜିନ ୩୨ ହଜାର ଫୁଟ ଉପରୁ ଭାଙ୍ଗି ବିମାନରୁ ଅଲଗା ହୋଇଯାଇଛି । ଆଉ ଏହି କାରଣରୁ ବିମାନଟିକୁ ଫିଲେଡେଲ୍ଫିୟାରେ ଜରୁରୀକାଳୀନ ଅବତରଣ କରାଯାଇଛି । କିନ୍ତୁ ଏହି ପୁରା ଘଟଣାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ ଟାମି ଜୋ, ଯିଏକି ନିଜ ସାହସିକତା, ଶାନ୍ତ ସ୍ୱଭାବ ଏବଂ ଚତୁରତାର ପ୍ରମାଣ ଦେଇଥିଲେ । ସେ ଯାତ୍ରୀମାନଙ୍କୁ ଏହି ଘଟଣାର ବାସ୍ନା ମଧ୍ୟ ବାଜିବାକୁ ଦେଇନଥିଲେ ଯେ, ବିମାନରେ ଗୋଟିଏ ଇଞ୍ଜିନ ହିଁ ନାହିଁ ।

କିନ୍ତୁ ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଯେତେବେଳେ ଯାତ୍ରୀମାନଙ୍କୁ ଟାମି ଜୋଙ୍କର ଏଭଳି ସାହସିକତା ବିଷୟରେ ଜଣାପଡିଥିଲା, ସେତେବେଳେ ସେମାନେ ଟାମିଙ୍କର ପ୍ରଂଶସା ନକରି ରହିପାରିନଥିଲେ । ଏବେ ସୋସିଆଲ ମିଡିଆରେ ଟାମିଙ୍କ ସାହସିକତାର ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସର ବିମାନ ବୋଇଙ୍ଗ ୭୩୭ – ୭୦୦ ମଙ୍ଗଳବାର ଦିନ ନ୍ୟୁୟର୍କ ରୁ ଡାଲାସ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଅଧା ବାଟରେ ବିମାନର ଇଞ୍ଜିନ ଭାଙ୍ଗି ତଳେ ପଡିଯାଇଥିଲା ।

ସାଉଥ ୱେଷ୍ଟ ଏୟାରଲାଇନ୍ସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିମାନରେ ମୋଟ ୧୪୩ ଜଣ ଯାତ୍ରୀ ଏବଂ ୫ଜଣ କ୍ରୁ ସଦସ୍ୟ ରହିଥିଲେ । ତେବେ ବିମାନ କମ୍ପାନୀ ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇବାର ଚେଷ୍ଟା ଚଲାଇଛି । ଯାତ୍ରୀମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋଗୁଡିକରୁ ବିମାନଟି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡୁଛି ।

ଆମେରିକା ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଏହି ମାମଲାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ସୂଚନା ଅନୁଯାୟୀ, ଟାମି ଜୋ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ କହିଥିଲେ ଯେ, ତାଙ୍କୁ ରନୱେରେ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି କାରଣ ବିମାନରେ କିଛି ନିଖୋଜ ରହିଛି । ତେବେ ଏହି ସମୟରେ ସେ ପୁରାପୁରି ଶାନ୍ତ ରହିଥିଲେ ଏବଂ ବିପଦଟି କେତେ ଭୟଙ୍କର ଥିଲା ତାହା କାହାକୁ ମଧ୍ୟ ଜାଣିବାକୁ ଦେଇନଥିଲେ ।

୫୬ ବର୍ଷୀୟ ଟାମି ଜୋ ଆମେରିକା ନୌସେନା ରେ ପ୍ରଥମଥର ଏଫ-୧୮ ଫାଇଟର ଜେଟ କୁ ୧୫୦ ମାଇଲ ପ୍ରତି ଘଣ୍ଟାର ସ୍ପିଡରେ ଓହ୍ଲାଇ ନିଜ ଜୀବନର ପ୍ରଥମ ସାହସିକତା ଓ ପରାକ୍ରମ ଦେଖାଇଥିଲେ । ତେବେ ପୁଣି ଥରେ ସେ ତାଙ୍କର ଏହି ସାହସିକତା ଏବଂ ପରାକ୍ରମର ପ୍ରମାଣ ଦେଇଛନ୍ତି ।