ଏଏନ୍-୩୨ ବିମାନ ଠାବ, ପାଇଲଟ୍ ନିଖୋଜ । ପୁଅର ଫେରିବା ବାଟକୁ ଆଶା ବାନ୍ଧି ଚାହିଁ ରହିଛନ୍ତି ପରିବାର, ବିମାନ ଧ୍ୱଂସ ସମ୍ପର୍କରେ ଜାଣିନାହାନ୍ତି ମୋହିତଙ୍କ ମା’ ।

598

କନକ ବ୍ୟୁରୋ : ଦୀର୍ଘ ୮ ଦିନର ଅକ୍ଳାନ୍ତ ଖୋଜ ପରେ ଗତକାଲି ଭାରତୀୟ ବାୟୁସେନା ଅରୁଣାଚଳ ପ୍ରଦେଶରେ ତା’ର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଠାବ କରିବାରେ ସଫଳ ହୋଇଥିଲା । ମଙ୍ଗଳବାର ବିମାନର ଧ୍ୱଂସାବଶେଷ ଠାବ କରାଯିବା ପରେ ବୁଧବାର ସକାଳୁ ଭାରତୀୟ ବାୟୁସେନା ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ଏହି ଉଦ୍ଧାରକାର୍ଯ୍ୟରେ ଭାରତୀୟ ବାୟୁସେନାର ମିଗ୍‌-୧୭ ଓ ଆଡଭାନ୍ସ ଲାଇଟ୍‌ ହେଲିକପ୍ଟର (ଏଏଲ୍‌ଏଚ୍‌)କୁ ସାମିଲ୍‌ କରାଯାଇଛି ।

ତେବେ, ଏହି ସର୍ଚ ଅପରେସନରେ ଏଏନ୍‌-୩୨ ବିମାନର ପାଇଲଟ୍‌ ଜୀବତ ରହିଥାନ୍ତୁ ବୋଲି ଆଶା ପ୍ରକଟ କରି ଏକ ଚମତ୍କାରୀକୁ ଅପେକ୍ଷା କରି ରହିଛନ୍ତି ପାଇଲଟ୍‌ ଲ୍ୟୁଟେନାଣ୍ଟ ମୋହିତ ଗର୍ଗଙ୍କ ପରିବାର ଲୋକେ । ଗତକାଲି ବିମାନର ଧ୍ୱଂସାବଶେଷ ଠାବ ହେବା ପରେ ମୋହିତଙ୍କ ପରିବାର ଲୋକ ଏପରି ଆଶା ରଖିଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ତେବେ କ୍ରାସ ବିମାନ ସଂପର୍କିତ ଟିକ୍‌ନିକ୍‌ ଖବର ପରିବାର ଲୋକଙ୍କୁ ଦିଆଯିବ ବୋଲି ଭାରତୀୟ ବାୟୁସେନାର ପ୍ରେମ ପାଲ୍‌ ପ୍ରକାଶ କରିଛନ୍ତି । ସେ ଆହୁରି ବି କହିଛନ୍ତି ଯେ କ୍ରାସ୍‌ ବିମାନରେ କେହି ଜୀବତ ଅଛନ୍ତି କି ନାହିଁ ଏଯାବତ୍‌ ଜଣାପଡ଼ି ନାହିଁ । ଆମେ ମୋହିତଙ୍କ ମାଆଙ୍କୁ ଏଯାଏ ବିମାନ କ୍ରାସ ଖବର ଦେଇନୁ । ଆଶା ରଖିଛୁ ଯେ ଏକ ଚମତ୍କାରୀ ହେଉ ଓ ମାଆଙ୍କ ପାଖକୁ ପୁଅ ଫେରୁ ଆସୁ । ଜୋହରତଠାରେ ମୋହିତଙ୍କ ବାପା ସୁରେନ୍ଦ୍ର ପଲ୍‌, ତାଙ୍କ ଦାଦା ଋଷି ପଲ୍‌ ଓ ପତ୍ନୀ ଆସ୍ତା ଖୁସି ଖବର ପାଇଁ ଅପେକ୍ଷା କରି ରହିଛନ୍ତି ।

ବିମାନଟି କ୍ରାସ କରିଥିବା ସ୍ଥାନ ଅୁଣାଚଳପ୍ରଦେଶର ଡେନ୍‌ସେ ଜଙ୍ଗଲରୁ ୧୬ କିଲୋମିଟର ପର୍ଯ୍ୟନ୍ତ ହେବାକୁ ଥିବା ସର୍ଚ ଅପରେସନରେ ହେଲିକପ୍ଟର ମୁତୟନ ହୋଇଛି । ଗତକାଲି ଚିତା ହେଲିକପ୍ଟର ଓ ଏଏଲ୍‌ଏଚ ମିଳିତ ଭାବେ କରିଥିବା ସର୍ଚ ଅପରେସନରେ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷ ଠାବ କରିଥିଲେ । ଜଙ୍ଗଲ ଭିତର ହୋଇଥିବା କାରଣରୁ ଠାବ କରାଯିବା ପରେ ବି ସେଠାରେ ହେଲିକପ୍ଟର ଲ୍ୟାଣ୍ଡ୍‌ କରିପାରିନଥିଲା ।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୩ ତାରିଖରେ ଆସାମର ଜୋର୍‌ହାଟ୍‌ରୁ ଅରୁଣାଚଳ ପ୍ରଦେଶ ଅଭିମୂଖେ ଉଡ଼ାଣ ଭରିଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନଟି ଅରୁଣାଚଳ ପ୍ରଦେଶରେ ଅବତରଣ କରିବା ପୂର୍ବରୁ ମଝିବାଟରେ ନିଖୋଜ ହୋଇ ଯାଇଥିଲା । ସେବେଠାରୁ ଭାରତୀୟ ବାୟୁସେନା ତା’ର ସମସ୍ତ ଅତ୍ୟାଧୁନିକ ବିମାନ ସମେତ ଇସ୍ରୋ ଉପଗ୍ରହ ଜରିଆରେ ନିଖୋଜ ବିମାନଟିକୁ ସନ୍ଧାନ କରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲା । ଶେଷର ଗତ ଜୁନ୍‌ ୮ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ନିଖୋଜ ବିମାନ ସଂପର୍କରେ ଯିଏ କୌଣସି ବି ସୂଚନା ପ୍ରଦାନ କରିବ ତା’କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସୂରୁପ ପ୍ରଦାନ କରିବାକୁ ମଧ୍ୟ ବାୟୁସେନା ଘୋଷଣା କରିଥିଲା ।