ଅମୃତସର ଟ୍ରେନ୍ ଦୁର୍ଘଟଣା : ପଞ୍ଜାବରେ ରାଜକୀୟ ଶୋକ, ବନ୍ଦ ରହିବ ଅଫିସ୍ ଓ ଶିକ୍ଷାନୁଷ୍ଠାନ

26

କନକ ବ୍ୟୁରୋ : ଶୁକ୍ରବାର ସନ୍ଧ୍ୟାରେ ଆସିଥିଲା ମୃତ୍ୟୁର ରେଳ । ଦେଖୁଦେଖୁ ନେଇଗଲା ୬୦ରୁ ଉର୍ଦ୍ଧ୍ୱ ଜୀବନ । ଅମୃତସର ଯୋଡ଼ା ଫାଟକ ନିକଟରେ ଲୋକମାନେ ରାବଣପୋଡ଼ି ଦେଖୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏନେଇ ଆଜି ପଞ୍ଜାବର ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ମୃତକଙ୍କ ପାଇଁ ରାଜ୍ୟରେ ରାଜକୀୟ ଶୋକ ପାଳନ ହେଉଛି । ସେପଟେ ଦୁର୍ଘଟଣା ପରେ ଆଠଟି ରେଳର ଗତିପତ ବଦଳାଇଲା ରେଳବାଇ ।

ସେପଟେ ପଂଜାବ ଟ୍ରେନ ଦୁର୍ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଲୋକଙ୍କୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୋଦି ।

ସେପଟେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସମସ୍ତ ଆହତଙ୍କୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ପଂଜାବ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଅମୃତସର ପହଂଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ପ୍ରାଥମିକତା ଚିକିତ୍ସା ହେବା ଉଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ଦୁର୍ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ମନୋଜ ସିହ୍ନା । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ।

ସେପଟେ ପଂଜାବର କ୍ୟାବିନେଟ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ହସ୍ପିଟାଲରେ ପହଂଚି ଆହତଙ୍କୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ସିଦ୍ଧୁ । ଆହତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ଆହତଙ୍କୁ ରାଜ୍ୟ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବେ ବୋଲି କହିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ ।