ଦିନ ୧୦ ଟାରୁ ତୀବ୍ର ହେବ ପବନର ବେଗ । ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ । ସନ୍ଧ୍ୟା ବେଳେ ବଢ଼ିବ ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରମାଣ

962

କନକ ବ୍ୟୁରୋ : ବାତ୍ୟା ଅମ୍ଫାନ ପ୍ରଭାବରେ ଆଜି ଦିନ ୧୦ଟାରୁ ପବନର ବେଗ ବଢ଼ିବ । ବାତ୍ୟା ଯେତିକ ପାଖେଇ ପାଖେଇ ଆସୁଛି, ପବନର ତୀବ୍ରତା ସେତିକି ବଢ଼ି ବଢ଼ି ଚାଲିଛି । ଅପରାହ୍ନ ୪ଟା ଯାଏଁ ପବନର ଭୀଷଣ ରୂପ ଦେଖିବାକୁ ମିଳିବ । ବର୍ତ୍ତମାନ ପୁରୀଠାରୁ ଦୂରରେ ରହିଛି ବାତ୍ୟା ଅମ୍ଫାନ୍ । ସନ୍ଧ୍ୟା ବେଳେ ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରମାଣ ବଢ଼ିବ । ଦିନ ୧୧ଟା ପରେ ପାଣିପାଗ ଆହୁରି ଖରାପ ହେବ ବୋଲି ଆକଳନ କରାଯାଇଛି । ପୁରୀ, ପାରାଦୀପ, ଜଗତସିଂହପୁର ପାଇଁ ରହିବ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ । ଚାନ୍ଦବାଲିରେ ୬୦.୪ମିମି, ଭୁବନେଶ୍ୱରରେ ୪୫.୬ମିମି, ବାଲେଶ୍ୱରରେ ୫୨.୨ମିମି, ପୁରୀରେ ୮୨ମିମି , ଗୋପାଳପୁରରେ ୮.୬ମିମି ବର୍ଷା ହୋଇଥିବା ରେକର୍ଡ । ସେପଟେ ସାମୁଦ୍ରିକ ବାତ୍ୟା ଅମ୍ଫାନର ପ୍ରଭାବରୁ ଓଡିଶା ଉପକୂଳରେ ବଢିବାରେ ଲାଗିଛି ପବନର ବେଗ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାରାଦୀପରେ ଘଂଟା ପ୍ରତି ପବନର ବେଗ ରହିଛି ୧୦୬ କିମି । ଚାନ୍ଦବାଲିରେ ୭୪ କିମି, ଭୁବନେଶ୍ୱରରେ ୫୬ କିମି, ପୁରୀରେ ଘଂଟା ପ୍ରତି ୩୯ କିମି ବେଗରେ ପବନ ବହୁଛି । ସେହିପରି ଗୋପାଳପୁରରେ ଘଂଟା ପ୍ରତି ୪୦ କିମି ବେଗରେ ପବନ ବହୁଛି ।

ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ପ୍ରାୟ ୧୨୫ କିଲୋମିଟର ଦୂରରେ ଗତି କରୁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ଅମ୍ଫାନର ସ୍ଥଳ ଭାଗ ଛୁଇଁବାର ସ୍ଥାନ ଓ ସମୟ ପୂର୍ବ ପରି ସମାନ ରହିଛି । ଏହି ବାତ୍ୟା ଆଜି ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ଏହି ସମୟରେ ସର୍ବାଧିକ ପବନର ବେଗ ୧୮୫ କିଲୋମିଟର ଯାଏଁ ମଧ୍ୟ ହୋଇପାରେ ।

ସାମୁଦ୍ରିକ ବାତ୍ୟା ଅମ୍ଫାନ କାରଣରୁ ତାଳସାରୀ ଓ ପାରାଦୀପ ଉପକୂଳରେ ସମୁଦ୍ର ଭୀଷଣ ଅଶାନ୍ତ ରହିଛି । ତାଳସାରୀରେ ପ୍ରାୟ ୨୦ ଫୁଟ ଉଚ୍ଚରେ ଆସୁଛି ସମୁଦ୍ର ଜୁଆରା । ଓଡିଶାରେ ଉପକୂଳ ନିକଟ ଦେଇ ଗତି କରୁଥିବା ଏହି ବାତ୍ୟାର ପ୍ରଭାବ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ଅନୁଭୂତ ହେଉଛି ।