ବିଜେଡି ଓ ବିଜେପି ପାଇଁ ଏସିଡ୍ ଟେଷ୍ଟ ହେବ ବିଜେପୁର ଲଢେଇ ! ଅମିତ୍ ଶାହା ଓ ନବୀନ ପଟ୍ଟନାୟକଙ୍କ ପାଇଁ ହେବ ସମ୍ମାନର ପ୍ରଶ୍ନ

71

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପରେ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ପ୍ରଥମଥର ପାଇଁ ଏକ ବଡ ନିର୍ବାଚନୀ ଯୁଦ୍ଧ ଦେଖିବାକୁ ଯାଉଛି ଓଡ଼ିଶା । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ଉଭୟ ବିଜେପି ଏବଂ ବିଜେପି ପାଇଁ ଏସିଡ୍ ଟେଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ନିର୍ବାଚନୀ ଯୁଦ୍ଧର ସାମ୍ନାରେ ଦୁଇଟି ଚେହେରା ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପାଇଁ ବିଜେପୁର ଉପ-ନିର୍ବାଚନ ଯେତିକି ଚ୍ୟାଲେଂଜ୍ ହୋଇଛି, ତାଠୁ ଅଧିକ ସାମ୍ମାନର ପ୍ରଶ୍ନ ଭାବେ ସାମ୍ନାରେ ଛିଡ଼ା ହୋଇଛି । ଗୋଟିଏ ପଟେ ନବୀନଙ୍କ ସଫାସୁତୁରା ଛବି, ଅନ୍ୟପଟେ ପଂଚାୟତ ନିର୍ବାଚନ ଫଳାଫଳ ପରେ ବୃଦ୍ଧି ପାଉଥିବା ବିଜେପିର ଲୋକପ୍ରିୟତା । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଉଥିବାରୁ ବିଜେଡି ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିବ କଡ଼ାଟକ୍କର ।

ଅମିତ ଶାହାଙ୍କ ଏହି ଦାବିକୁ ଯଥାର୍ଥ ପ୍ରମାଣିତ କରିବା ବର୍ତମାନ ବିଜେପି ପାଇଁ ଏକ ବଡ ଆହ୍ୱାନ । ୨୫ଟି ଆସନ ସହ ବରଗଡ଼ରେ ଜିଲ୍ଲା ପରିଷଦ ଅକ୍ତିଆର କରିଥିବା ବିଜେପି, ବିଜେପୁର ନିର୍ବାଚନ ମଣ୍ଡଳୀରେ ୭ଟିରୁ ୬ଟି ଆସନ ପାଇଛି । ତେଣୁ ୧୪୭ ନିର୍ବାଚନ ମଣ୍ଡଳୀରୁ ୧୨୦ ଆସନ ଦାବି କରୁଥିବା ଅମିତ ଶାହା, ବିଜେପୁର ଉପ-ନିର୍ବାଚନରେ କ’ଣ ଫଳ ଆଣୁଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର । ଆଉ ଏପଟେ ବିଦ୍ରୋହ ଭିତରେ ଦଳ ସଜାଡୁଛି ବିଜେଡି ।

ବିଜେପୁରର ତୁଙ୍ଗ ନେତା ସ୍ୱର୍ଗତ ସୁବଳ ସାହୁଙ୍କ ପରିବାରକୁ ବିଜେଡି ସପକ୍ଷରେ ଆଣି, ବିରୋଧୀଙ୍କ ସବୁ ହିସାବକୁ ଗୋଳମାଳିଆ କରିଦେଇଛନ୍ତି ନବୀନ ପଟ୍ଟନାୟକ । ଆଉ ନିର୍ବାଚନର ବହୁ ପୂର୍ବରୁ ରୀତା ସାହୁଙ୍କ ପ୍ରାର୍ଥୀ କରିବେ ବୋଲି ଘୋଷଣା କରି, ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ହେଲେ ଏସବୁ ଭିତରେ କିନ୍ତୁ ସ୍ଥାନୀୟ ବିଜେଡି ନେତାଙ୍କ ଭିତରେ ଉଠିଛି ବିଦ୍ରୋହର ସ୍ୱର । ଆଉ ଏହି ସବୁ ଆଶଙ୍କା ଏବଂ ଦ୍ୱନ୍ଦ୍ୱ ଉପରେ ପୁର୍ଣ୍ଣଚ୍ଛେଦ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । କହିଛନ୍ତି-କୌଣସି ଦ୍ୱନ୍ଦ ନାହିଁ, ସବୁ ବିବାଦର ହୋଇଛି ସମାଧାନ ।

ନବୀନ ସିନା ଦ୍ୱନ୍ଦ୍ୱ ନାହିଁ ବୋଲି ସ୍ୱଷ୍ଟ କରିଦେଲେ । ହେଲେ ଦେଖିବାର କଥା-ବିଜେପୁରରେ କାହାକୁ ମିଳୁଛି ବିଜୟ । ଆଉ ସାଧାରଣ ନିର୍ବାଚନ ପୂର୍ବରୁ ଜଣାପଡ଼ିବ- କାହାର ଦମ୍ କେତେ ?