ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବାସଭବନରେ ରହିବେ ଅମିତ ଶାହା । ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତଙ୍କୁ ଆବଣ୍ଟିତ କରାଗଲା ବାଜପେୟୀଙ୍କ ବଙ୍ଗଳା ।

249

ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ଥିବା ଅମିତ ଶାହାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାସଭବନ ଆବଣ୍ଟିତ କରାଯାଇଛି । ଗୁୁରୁତ୍ୱପୂର୍ଣ୍ଣ ଗୃହ ବିଭାଗର ମନ୍ତ୍ରୀ ଥିବା ଅମିତ ଶାହାଙ୍କ ନୂଆ ଠିକଣା ପାଲଟିବ ବାଜପେୟୀଙ୍କ ବାସଭବନ । ଅମିତଙ୍କୁ ୬ଏ କୃଷ୍ଣ ମେନନ୍ ମାର୍ଗରେ ଥିବା ବଙ୍ଗଳାକୁ ଆବଣ୍ଟିତ କରାଯାଇଛି । ଏହି ବଙ୍ଗଳାଟି ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ବାସଭବନ ରହିଥିଲା । ୨୦୦୪ରେ ଏନଡିଏ ସରକାର କ୍ଷମତାରୁ ଯିବା ପରେ ବାଜପେୟୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ଏହି ବାସଭବନ ଆବଣ୍ଟିତ କରାଯାଇଥିଲା ।  ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବାଜପେୟୀ ଏହି ବାସଭବନରେ ରହୁଥିଲେ ।

ଏବେ ଅମିତ ଶାହା ୧୧ ଆକବର ରୋଡ ସରକାରୀ ବାସଭବନରେ ରହୁଛନ୍ତି । ତେବେ ଆବଣ୍ଟିତ ହୋଇଥିବା ବଙ୍ଗଳାର ମରାମତି ଚାଲୁଥିବାରୁ ଅମିତ ଏଠାରେ ଆହୁରି ୧ ମାସ ରହିପାରନ୍ତି । ଅମିତଙ୍କୁ ଆବଣ୍ଟିତ ହୋଇଥିବା ବଙ୍ଗଳାଟି ଟାଇପ ୮ ଶ୍ରେଣୀର ହୋଇଥିବା ବେଳେ ଏଠାରେ ବାଜପେୟୀ ଦୀର୍ଘ ୧୪ ବର୍ଷ ରହିଛନ୍ତି । ତେବେ ଗତବର୍ଷ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କ ମୃତ୍ୟୁ ପରେ ଏହି ବଙ୍ଗଳାକୁ ଅଟଳ ସ୍ମୃତି ଘୋଷଣା କରିବାକୁ କିଛି ବିଜେପି ନେତା ଦାବି କରିଥିଲେ । ସେତେବେଳେ ବିଜେପି ନେତାଙ୍କ ଏହି ଦାବିକୁ ଖାରଜ କରିଥିଲେ ମୋଦି ସରକାର । ତେବେ ବାଜପେୟୀଙ୍କ ସମାଧିକୁ ସର୍ବଦା ଅଟଳ ନାମରେ ବିକଶିତ କରିଛନ୍ତି ସରକାର ।

ଏହାପୂର୍ବରୁ ୨୦୦୦ ମସିହାରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ରାଷ୍ଟ୍ରୀୟ ନେତାଙ୍କ ମୃତ୍ୟୁ ପରେ ତାଙ୍କ ବାସଭବନକୁ ସ୍ମୃତି ସ୍ଥଳ ଘୋଷଣା ଉପରେ ରୋକ ଲଗାଇଥିଲେ । ତେଣୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ନେତାଙ୍କ ପରଲୋକ ପରେ ମଧ୍ୟ ତାଙ୍କ ବାସଭବନକୁ ସ୍ମୃତି ସ୍ଥଳ ଭାବେ ଘୋଷଣା କରାଯାଇନଥିଲା ।