ନବୀନଙ୍କ ଗଡରେ ଅମିତଙ୍କ ଗର୍ଜନ !

30

କନକ ବ୍ୟୁରୋ : ୨୦୧୯ରେ ଓଡିଶା ଶାସନ ମଙ୍ଗ ଧରିବ ଭାରତୀୟ ଜନତା ପାର୍ଟି । ନବୀନଙ୍କ ଗଡ ଗଞ୍ଜାମ ଜିଲ୍ଲାରେ ମୋ ବୁଥ ସବୁଠୁ ମଜଭୂତ କାର୍ଯ୍ୟକ୍ରମ ଆରମ୍ଭ କରି ଏଭଳି ଦମ୍ଭୋକ୍ତି କରିଛନ୍ତି ଅମିତ ଶାହ । ଆଗାମୀ ସାଧାରଣ ନିର୍ବାଚନ ପାଇଁ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଗତ ପଂଚାୟତ ନିର୍ବାଚନରେ ରାଜ୍ୟର ଯେଉଁସବୁ ଅଂଚଳରେ ଦଳର ପ୍ରଦର୍ଶନ ଖରାପ ରହିଛି ସେହିସବୁ ଅଂଚଳରେ ଗଠନ ହେବ ବୁଥସ୍ତରୀୟ କମିଟି । ଆଉ ଏଥିପାଇଁ ଏକପ୍ରକାର ନୀଳ ନକ୍ସା ଆଙ୍କିଛନ୍ତି ବିଜେପି ରାଜନୀତିର ଏହି ଚାଣକ୍ୟ । ତେବେ ବଡ କଥା ହେଉଛି, କେଉଁଠି ବି ସିଧାସଳଖ ନବୀନଙ୍କ ନାଁ ନେଇନାହାନ୍ତି ଅମିତ ଶାହ ।

ପଂଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ଏବେ ଦଳକୁ ଆହୁରି ସଂଗଠିତ କରି ୨୦୧୯ରେ ଫାଇନାଲ ଫାଇଟ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ରାଜ୍ୟର ଯେଉଁ ଅଂଚଳରେ ଦଳର ସଂଗଠନ ଦୁର୍ବଳ ରହିଛି ସେସବୁ ଅଂଚଳକୁ ଗସ୍ତ କରିବେ ଶାହ । ବୁଥ ସ୍ତରରେ କିମିଟି ଗଠନ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ । ବିଜେଡି ସରକାର ବିରୋଧରେ ଲଢିବାକୁ ରଣନୀତି ପ୍ରସ୍ତୁତ କରିବେ ।

ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଡ । ହିଞ୍ଜିଳିରୁ ଚାରିଚାରିଥର ନିର୍ବାଚିତ ହୋଇ ଓଡିଶା ଶାସନର ମଙ୍ଗ ଧରିଛନ୍ତି ନବୀନ । ଗତ ପଂଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଭିନ୍ନ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗଂଜାମରେ ଚିତପଟାଙ୍ଗ ମାରିଥିଲା । ମୋଟ ୬୯ଟି ବ୍ଲକରୁ ମାତ୍ର ୪ଟିରେ ବିଜୟ ସହ ୨୫ରୁ ୩୦ ପ୍ରତିଶତ ଭୋଟ୍ ହାସଲ କରିଥିଲା । ସେଥିପାଇଁ ଗଂଜାମରେ ଦୁର୍ବଳ ପ୍ରଦର୍ଶନ କରିଥିବା ଦଳ ଏବେ ଏଇଠୁ ପରିବର୍ତ୍ତନର ଲଢେଇ ଆରମ୍ଭ କରିଛି ।

ବିଜେଡିର ଦାବି ଅମିତ ଶାହଙ୍କ ଗସ୍ତ ବିଜେଡି ଭୋଟବ୍ୟାଙ୍କ ଉପରେ ପଡିବ ନାହିଁ । ସେପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ବିଜେପି ନେତା ଓ କର୍ମୀଙ୍କ ଭିତରେ ନୂଆ ଉର୍ଜ୍ୱା ଭରିଦେଇଛି ।