ରାଫେଲ ପାଇଁ କଂଗ୍ରେସ-ବିଜେପି କଳି । ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କୁ ଘେରିଲା ବିଜେପି, କଂଗ୍ରେସ ରଖିଲା ଜବାବ ।

ରାଫେଲ୍ ଡିଲ୍ ନେଇ ସବୁ ଆବେଦନ ଖାରଜ କଲେ ଉଚ୍ଚତମ ନ୍ୟାୟାଳୟ  । ସୁପ୍ରିମକୋର୍ଟ କହିଲେ, ଡିଲରେ ହୋଇନି କୌଣସି ଅନିୟମିତତା ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅମିତ ଶାହା କହିଲେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ । ସେପଟେ କଂଗ୍ରେସର ଜବାବ,କ୍ଷମା ମାଗିବାର ଉଠୁନି ପ୍ରଶ୍ନ ।

265

ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟଙ୍କ ରାୟ ପରେ ତେଜିଛି ରାଜନୀତି । ଜାତୀୟ ରାଜନୀତିର ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା ସମସ୍ତ ଆବେଦନ ଖାରିଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଫେଲ ବିବାଦରେ ସୁପ୍ରିମକକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ରାହୁଲଙ୍କୁ ନିଶାନା କରିଛନ୍ତି । ଏବଂ କହିଛନ୍ତି ଏହି ବିବାଦରେ କଂଗ୍ରେସ ଭୁଲ ମାଗିବା ଦରକାର । ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି କଂଗ୍ରେସ । ରାଫେଲ ଡିଲ୍ ନେଇ କୌଣସି ଦୁର୍ନୀତି ହୋଇନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି ତେଣୁ କଂଗ୍ରେସ ଅଧ୍ୟକ୍ଷ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅମିତ ଶାହ ।

କେବଳ ଅମିତ ଶାହ ନୁହେଁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଛନ୍ତି  ରାହୁଲ ଗାନ୍ଧି ତାଙ୍କର ରାଜନୈତିକ ଫାଇଦା ପାଇଁ ଲୋକମାନଙ୍କୁ ବିଭ୍ରାନ୍ତ କରିଛନ୍ତି । ଏହା ଦ୍ୱାରା ସମଗ୍ର ଦେଶରେ ଭାରତର ମର୍ଯ୍ୟାଦା ଉପରେ ଆଂଚ ଆସିଛି । ତେଣୁ ରାହୁଲ ଏଥିପାଇଁ ଗୃହରେ କ୍ଷମା ପ୍ରାର୍ଥନା କରିବା ସହିତ ସମଗ୍ର ଦେଶବାସୀଙ୍କୁ ଭୁଲ ମାଗନ୍ତୁ ବୋଲି ରାଜନାଥ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହାର କଡା ଜବାବ ଦେଇଛି କଂଗ୍ରେସ । ରାଫେଲ ପ୍ରସଙ୍ଗରେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୂନ ଖାଡଗେ କହିଛନ୍ତି । ରାଫେଲ ଚୁକ୍ତି ନେଇ କଂଗ୍ରେସ ଯେଉଁ ଦାବି କରିଛି ତାହାର ସିବିଆଇ ତଦନ୍ତ ହେବା ଅତ୍ୟନ୍ତ ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମ୍ମାନ ଦେଉଛି କିନ୍ତୁ ବିଜେପିର ଦୁର୍ନୀତିର ଚେର ଏହି ଘଟଣାରେ ସିବିଆଇ ତଦନ୍ତ ହେଲେ ଯାଇ ସାମ୍ନାକୁ ଆସିବ ବୋଲି ଖଡଗେ କହିଛନ୍ତି ।

ରାଫେଲ ବିବାଦରେ ନଭେମ୍ବର ୨୪ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ରାଫେଲ ଡିଲ ସର୍ମ୍ପକରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ଆଜିର ଚୂଡାନ୍ତ ରାୟ ଉପରେ ବିରୋଧୀ ଓ ଶାସକ ଦଳର ନଜର ରହିଥିଲା । ରାଫେଲ ଡିଲକୁ ନେଇ ବିରୋଧୀ ଲଗାତାର ଏନଡିଏକୁ ଟାର୍ଗେଟ କରୁଥିବା ବେଳେ ଏହାକୁ ନେଇ ସଂସଦରେ ବିବାଦ ଲାଗି ରହିଛି । ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬କୋଟି ଥିଲା ବୋଲି କଂଗ୍ରେସ ଦାବି କରିଛି । ତେବେ ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଅତ୍ୟାବଶ୍ୟକ ଯୁଦ୍ଧାସ୍ତ୍ର ଖଂଜା ଯାଇଥିବାରୁ ଏହାର ଦାମ ଅଧିକ ରହିଥିବା କୁହାଯାଉଛି ।