ସାଲେପୁର ରଣନୀତିକୁ ଶ୍ରୀକ୍ଷେତ୍ରରେ ଶାହାଙ୍କ କପି ଆଣ୍ଡ୍ ପେଷ୍ଟ । ନବୀନ ସରକାର ଉପରେ ପ୍ରବଳ ବର୍ଷିଲେ, ଗେରୁଆ କ୍ୟାମ୍ପରେ ଜୋଶ ଭରିଲେ

291

କନକ ବ୍ୟୁରୋ : ବିଜେପି ହାଇକମାଣ୍ଡଙ୍କ କପି ଆଣ୍ଡ ପେଷ୍ଟ ଥିଓରୀ । ସାଲେପୁରରେ ଯାହା ଶ୍ରୀକ୍ଷେତ୍ରରେ ମଧ୍ୟ ସେୟା । ପୁରୀରେ ବିଜେପି ରାଷ୍ଟ୍ରୀୟ ଜନଜାତି ଅଧିବେଶନରେ ବିଜେଡି ଓ କଂଗ୍ରେସକୁ ପୁଣିଥରେ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ଦଳୀୟ ସେନାପତି ଅମିତ ଶାହା । ସାଲେପୁର ଭଳି ଶ୍ରୀକ୍ଷେତ୍ରରେ ମଧ୍ୟ ଆଟାକିଙ୍ଗ ମୁଡରେ ନଜର ଆସିଛନ୍ତି ବିଜେପି କମାଣ୍ଡର । ଦାନ ମାଝିଙ୍କ କଥା ଉଠାଇ ଜନଜାତିଙ୍କ ଅବସ୍ଥା ଓଡିଶାରେ କିଭଳି ରହିଛି ତାହାର ଉଦାହରଣ ରଖିଥିଲେ ଅମିତ ଶାହା । ଆଉ ଏହାସହ ୨୦୧୯ରେ ପୋଡା ଟ୍ରାନ୍ସଫର୍ମର ପାଲଟି ଯାଇଥିବା ବିଜେଡି ସରକାରକୁ ଉପାଡି ଫିଙ୍ଗି ଦେବା ସହ ବିଜେପିକୁ ସରକାରକୁ ଆଣିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ଚାଣକ୍ୟ । ଆଉ ଶାହାଙ୍କ ଏଭଳି ବୟାନ ଶୋଇ ରହିଥିବା ବିଜେପି କର୍ମୀଙ୍କ ମଧ୍ୟରେ ନିର୍ବାଚନ ପୂର୍ବରୁ ଜୋଶ ଭରିଛି ।

ଅଧିବେଶନ ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ଉପରେ ହମଲା କରିଛନ୍ତି ଶାହା । ୨୦୧୯ରେ ୧୯ ବର୍ଷର ସରକାରକୁ ସମାପ୍ତ କରିବାକୁ ବିଜେପି କର୍ମୀ ମାନଙ୍କୁ ଶାହା ମନ୍ତ୍ର ଦେଇଥିବା ବେଳେ ଏହା ରାଜ୍ୟ ରାଜନୀତିକୁ ପୁଣି ଥରେ ଉଷ୍ମ କରିଛି । ଏହାଛଡା ଆଗାମୀ ନିର୍ବାଚନରେ ଓଡିଆ କହିପାରୁଥିବା ମୁଖ୍ୟମନ୍ତ୍ରୀ ବାଛିବାକୁ କହି ନବୀନଙ୍କୁ ଡାଇରେକ୍ଟ ଆଟାକ କରିଛନ୍ତି ଅମିତ । ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷା କଥା କହି ନବୀନ ସରକାରକୁ ତୀର ମାରି କ୍ଷତାକ୍ତ କରିଛନ୍ତି ଶାହା ।

ଏତିକିରେ ସରିନଥିଲା ଶାହାଙ୍କ ଆଟାକ । ନିର୍ବାଚନ ପୂର୍ବରୁ ବିଜେଡିକୁ କଂଗ୍ରେସର ବି ଟିମ୍ କହିବା ସହ ଏହି ଦୁଇଟି ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି ବୋଲି କହିଛନ୍ତି ଶାହା । ଏହି ଦୁଇ ଦଳ ସରକାରରେ ଥିବା ସମୟରେ ଓଡିଶାର ବିକାଶ କରିନାହାନ୍ତି ।ତେଣୁ ବିଜେପିକୁ ଗୋଟିଏ ମୌକା ଦିଅନ୍ତୁ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରି ଦେଖାଇବୁ ବୋଲି ଦମ୍ଭ ଦେଖାଇ କହିଛନ୍ତି ଶାହା । ଏହାଛଡା ନବୀନ ସରକାର ୧୯ ବର୍ଷ ମଧ୍ୟରେ କଣ କରିଛନ୍ତି ତାହାର ଜବାବ ମାଗିଛନ୍ତି ଶାହା ।

ନବୀନ ସରକାରଙ୍କ ବିରୋଧରେ ବିଜେପି ଷ୍ଟ୍ରାଟେଜିଷ୍ଟଙ୍କ ଏଭଳି ଷ୍ଟ୍ରାଟେଜି ଦେଖି ଗେରୁଆ କ୍ୟାମ୍ପ ମଧ୍ୟ ବେଶ ଉତ୍ସାହିତ । ଖାସକରି ତଳସ୍ତରର କର୍ମୀ ଯେଉଁମାନେ ମୋଦିଙ୍କ ଗସ୍ତ ପରେ ନିରୁତ୍ସାହିତ ହୋଇପଡିଥିଲେ ଶାହାଙ୍କ ଗସ୍ତ ପରେ ଆକ୍ଟିଭ ମୋଡକୁ ଚାଲି ଆସିଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି କମାଣ୍ଡରଙ୍କ ଏଭଳି ରଣନୀତି ମଧ୍ୟ ରାଜନୈତିକ ସମୀକ୍ଷକଙ୍କୁ ଶଙ୍କାରେ ପକାଇଛି । ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ନବୀନ ସରକାରଙ୍କ ବିରୋଧରେ ମୁହଁ ନ ଖୋଲିବାକୁ ଶ୍ରେୟସ୍କର ମଣୁଛନ୍ତି ସେଭଳି ସ୍ଥଳେ ଶାହା ବାକ୍ୟ ବାଣରେ ନବୀନ ସରକାରକୁ ଘାଇଲା କରିବା ପଛରେ କଣ ରଣନୀତି ତାହା ବୁଝା ପଡୁନାହିଁ ।

ତେବେ ମୋଦିଙ୍କ ଗସ୍ତ ପରେ ସୁପ୍ତ ଅବସ୍ଥାକୁ ଚାଲିଯାଇଥିବା କର୍ମୀଙ୍କ ମନରେ ଶାହାଙ୍କ ଗସ୍ତ ପରେ ସତ ସିଂହର ବଳ ଫେରିଛି । ଏପରିକି ଶାହାଙ୍କ ପୋଡା ଟ୍ରାନ୍ସଫର୍ମର ଉପାଖ୍ୟାନ ଗେରୁଆ ଶିବିରକୁ ୪୪୦ ଭୋଲ୍ଟର କରେଣ୍ଟ ଯୋଗାଇଥିବା ଚର୍ଚ୍ଚା ହେଉଛି । ତେବେ ଏହି କରେଣ୍ଟ ଓଡିଶାରେ ବିଜେପିର ଭାଗ୍ୟକୁ କେତେ ଉଜ୍ଜଳ କରୁଛି ତାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।