‘୫ ବର୍ଷ ଦିଅ ଓଡ଼ିଶାକୁ ଏକ ନମ୍ବର କରିବୁ’ ! ସାଲେପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷି ବିଜେପି ପାଇଁ ଭୋଟ୍ ମାଗିଲେ ଅମିତ ଶାହା

434

କନକ ବ୍ୟୁରୋ : ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ଓଡ଼ିଶା ଗସ୍ତରେ ଆସି କୁଳିଆ ସମାବେଶରେ ବିଜେପି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି ଅମିତ ଶାହା । କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ ପୈତୃକ ଘରକୁ ବୁଲି ଦେଖିଥିଲେ।  କୁଳିଆ ସମାବେଶରେ ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ବିଜେପି ସରକାର ଆସିଲେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହୋଇପାରିବ । ଓଡ଼ିଶା ବିକାଶରେ ବାଧା ସାଜିଛନ୍ତି ରାଜ୍ୟ ସରକାର । ରାଜ୍ୟର ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିପାରିନି । ସରକାରଙ୍କର ନୀତି ଓ ନୈତିକତାର ଅଭାବ ରହିଛି । ବିଜେପି ସରକାର ଆୟୁଷ୍ମାନ ଯୋଜନାରେ ପ୍ରଣୟନ କଲେ । କିନ୍ତୁ ମୋଦି ଲୋକପ୍ରିୟତା ଭୟରେ ନବୀନ ଏହାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡ଼ିଶାକୁ ଦୀର୍ଘ ବର୍ଷ ବିଜେଡ଼ି ଓ କଂଗ୍ରେସ ଶାସନ କଲେ । ଏବେ ୫ ବର୍ଷ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ୧ ଓଡ଼ିଶାକୁ ସୁଦୃଢ଼ କରିବା ପାଇଁ ବିଜେପି ବଦ୍ଧ ପରିକର । ମଜବୁର ନୁହେଁ ମଜଭୁତ ସରକାର ଦେଇପାରିବ ବିଜେପି ।

ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଆ ଜାଣିଥିବା ଜଣେ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସଂକଳ୍ପ କରିବାକୁ ଆହ୍ବାନ କରିଛନ୍ତି ଅମିତ୍ ଶାହା । ବିଜେପି ନେତାଙ୍କର ନୁହେଁ କାର୍ଯ୍ୟକର୍ତ୍ତାଙ୍କ ପାର୍ଟି । ଅମିତ କହିଛନ୍ତି କେନ୍ଦ୍ରରେ ମୋଦି ସରକାରକୁ ଆସିବା ଆଉ ଭୁବନେଶ୍ବରରେ ମଧ୍ୟ ବିଜେପି ସରକାର ଆସିବ ।

ଅମିତ ଶାହା କହିଛନ୍ତି ପଞ୍ଚାୟତ ନିର୍ବାଚନ ସ୍ପଷ୍ଟ କରିଛି ରାଜ୍ୟରେ ବିଜେପି ସରକାର ଗଢ଼ିବ । ପ୍ରାକୃତିକ ସମ୍ପଦ ଭରପୁର ଥିବା ସତ୍ତ୍ବେ ଓଡିଶା ଗରୀବ । କାରଣ ଏଠାର ସରକାର ବିକାଶ କରିବାକୁ ଚାହୁଁନାହାନ୍ତି । କଂଗ୍ରେସ ସରକାରଙ୍କ ୫ବର୍ଷ ଶାସନକାଳରେ ୭୯ହଜାର କୋଟି ଟଙ୍କା ଓଡିଶାକୁ ମିଳିଥିଲା । କିନ୍ତୁ ମୋଦି ସରକାରଙ୍କ ଅମଳରେ ୨ଲକ୍ଷ ୧୧ହଜାର କୋଟି ସହ ରେଳବାଇ ଡିଏମଏଫ ମୁଦ୍ରା ଲୋନ ଇତ୍ୟାଦି କ୍ଷେତ୍ରରେ ଅନୁଦାନକୁ ମିଶାଇ ୫ଲକ୍ଷ ୧୩ହଜାର କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ଏହା ଗାଁ କୁ ଯାଇପାରୁନି । କଂଗ୍ରେସ ଓ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଶାହ । କଂଗ୍ରେସର ୫୫ ବର୍ଷ ଶାସନ କାଳରେ ମଧ୍ୟ ଦେଶରୁ ଦାରିଦ୍ର‌୍ୟ ଦୂର ହୋଇପାରିଲା ନାହିଁ । ବିଜେପି ଯୋଜନାରୁ ଜନତା ଲାଭ ପାଇପାରିଲେ । କଂଗ୍ରେସ ନେତୃତ୍ବରେ ଯେଉଁ ମେଣ୍ଟ ଉଦ୍ୟମ ହେଉଛି ତାର ନେତା ନୀତି ଠିକ୍ ନାହିଁ ।

୧୯ବର୍ଷ ଏଠି ନବୀନ ସରକାର ଶାସନ ଚଳାଇଛନ୍ତି । ହେଲେ କିଛି ଉନ୍ନତି ହୋଇପାରୁ ନାହିଁ । ଏଠାରେ  ସରକାର ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବିକୁ ମଧ୍ୟ ସୁରକ୍ଷା ଦେଇପାରୁନି । ବର୍ତ୍ତମାନର ସରକାରକୁ ବଦଳାଇ ମୋଦିଙ୍କୁ ୫ବର୍ଷ ଦେଲେ ଓଡିଶା ଦେଶର ଏକ ନଂ ରାଜ୍ୟ ହେବ । ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏମାନେ ଓଡିଶାର ଉନ୍ନତି କରିପାରିବେ ନାହିଁ । ମୋଦି ସରକାର ପୁଣିଥରେ କେନ୍ଦ୍ରରେ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଶାହ ।