ପୁରୀରେ ଫେରିଲା ଶାହାଙ୍କ ପୋଡ଼ା ଟ୍ରାନ୍ସଫର୍ମର ଉପାଖ୍ୟାନ ! କରେଣ୍ଟ ନାହିଁ, ୧୯ରେ ଉପାଡ଼ି ଫିଙ୍ଗି ଦିଅ ।

ଶାହାଙ୍କ ପୁରୁଣା ଡାଇଲଗ୍ ! ପୁଣି ପୋଡ଼ା ଟ୍ରାନ୍ସଫର୍ମର କହି ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା ।

244

କନକ ବ୍ୟୁରୋ: ପୁଣି ଫେରିଲା ପୋଡ଼ା ଟ୍ରାନ୍ସଫର୍ମର ପ୍ରସଙ୍ଗ । ଶ୍ରୀକ୍ଷେତ୍ରରୁ ନବୀନଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଉ କହିଛନ୍ତି ଯେ, ରାଜ୍ୟରେ ଏଭଳି ସରକାର ଯିଏ ରାଜ୍ୟବାସୀଙ୍କ ସମସ୍ୟା ଆଉ ଆଞ୍ଚଳିକ ଭାଷା ବୁଝି ପାରୁନି ସେ ସରକାରଙ୍କୁ ଉପାଡ଼ି ଫିଙ୍ଗି ଦେବାକୁ କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହା ।

ପୁରୀ ତାଳବଣିଆ ଠାରେ ବିଜେପି ରାଷ୍ଟ୍ରୀୟ ଜନଜାତି ମହାଅଧିବେଶନରେ ସମ୍ବୋଧନ ଦେଇ ଶାହା କହିଛନ୍ତି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶାର ଜନଜାତି ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ଏବଂ ଏହାର ଅର୍ଥ ମଧ୍ୟ ରାଜ୍ୟକୁ ଦିଆଯାଉଛି । କିନ୍ତୁ ଦୁଃଖର ବିଷୟ ହେଲା ସେହି ପଇସା ଆପଣଙ୍କ ପାଖରେ ପହଁଚି ପାରୁନି । ଏହାର ମୁଖ୍ୟ କାରଣ ହେଉଛନ୍ତି ଏଠିକାର ନବୀନ ସରକାର । ଯିଏ ଓଡ଼ିଆ ବୁଝିପାରୁ ନାହାନ୍ତି ଆପଣ ଯେତେ ପାଟିକଲେ ମଧ୍ୟ ତାଙ୍କୁ ଶୁଣାଯାଉନି । ଏଭଳିକି ୨୦୧୭ ଡାଇଲଗ୍ କୁ ପୁଣି ମନେ ପକାଇ ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିଛନ୍ତି ଶାହା । ଟ୍ରାନ୍ସଫର୍ମର ପୋଡ଼ିଗଲେ ଯେମିତି ଅଦରକାରୀ ହୋଇଯାଏ ଠିକ୍ ସେମିତି ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦେବା ପାଇଁ ଶାହ ବିଜେପି କର୍ମୀଙ୍କୁ କହିଛନ୍ତି ଶାହା ।

ପୂର୍ବରୁ ଅନେକ ଥର ଓଡ଼ିଶା ଗସ୍ତରେ ଆସିଥିଲେ ମଧ୍ୟ ଶାହା ପୋଡ଼ା ଟ୍ରାନ୍ସଫର୍ମର କଥା ଉଠାଇନଥିଲେ ଶାହା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ପରେ ଭୁବନେଶ୍ୱରେ ନବୀନଙ୍କୁ ପ୍ରଥମଥର ପାଇଁ କଡ଼ା ଭାଷାରେ ପୋଡ଼ା ଟ୍ରାନ୍ସଫର୍ମର କହି ସମାଲୋଚନା କରିଥିଲେ । ଆଜି ପୁଣି ପୁରୀରେ ଦୋହରାଇଛନ୍ତି ବିଜେପି ଚାଣକ୍ୟ ଅମିତ୍ ଶାହା । ଓଡ଼ିଶାର ଅନୁସୂଚିତ ଜନଜାତି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ୧୦୩ଟି ଏକଲବ୍ୟ ବିଦ୍ୟାଳୟ କେନ୍ଦ୍ରରୁ ମିଳିଥିବାବେଳେ ରାଜ୍ୟ ସରକାରଙ୍କ ଆଗ୍ରହ ନଥିବାରୁ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି ।

ଅନ୍ୟପଟେ ଦାନ ମାଝୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଶାହା । କହିଛନ୍ତି ଯେ, ଯେଉଁ ସରକାର ଦାନ ମାଝୀର ମୃତ ସ୍ତ୍ରୀ ମୁହଁରେ ମୁଖାଗ୍ନୀ ଦେବାରେ ବିଫଳ ହୋଇଗଲେ ସେଭଳି ସରକାର କ୍ଷମତାରେ ରହିବାର ଆବଶ୍ୟକ ନାହିଁ । ଏପରିକି ନବୀନ ସରକାରଙ୍କୁ ରାଜ୍ୟବାସୀ ଜବାବ୍ ମାଗନ୍ତୁ ବୋଲି ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ।