ଆସାମରେ ୪୦ ଲକ୍ଷ ଶରଣାର୍ଥୀଙ୍କୁ ନେଇ ସଂସଦରେ ହଙ୍ଗାମା: ଅମିତ ଶାହା କହିଲେ, ଏନଆରସି ଚିହ୍ନଟ ପାଇଁ ନଥିଲା କାହାରି ସାହାସ

29

କନକ ବ୍ୟୁରୋ: ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ଆଜି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭରୁ ହଙ୍ଗାମା ହୋଇଥିଲା । ବିଜେପି ସଭାପତି ଅମିତ ଶାହା ଏହି ପ୍ରସଙ୍ଗରେ କହିବା ଆରମ୍ଭ କରିବାମାତ୍ରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା । ଅମିତ ଶାହା ଅଭିଯୋଗ କରିଥିଲେ ଯେ ଏହା ପ୍ରଥମରୁ ହିଁ ଲାଗୁ ହେବାର ଥିଲା । କିନ୍ତୁ ଏପରି କରିବାରେ ସେତେବେଳେ ଥିବା ସରକାରର ସାହସ ନଥିଲା । ବିରୋଧୀ ନେତାମାନଙ୍କ କଥାକୁ ସେ ବେଶ ଧ୍ୟାନର ସହ ଶୁଣୁଥିବା କହିଥିଲେ ।

ତେବେ ଏନଆରସି କାହିଁକି ଆସିଲା ବୋଲି କୌଣସି ନେତା କହିନଥିଲେ । ଆସାମରେ ଏହି ଘଟଣାକୁ ନେଇ ବଡ ଆନ୍ଦୋଳନ ହୋଇଥିଲା । କିଛି ଲୋକ ପ୍ରାଣ ମଧ୍ୟ ହରାଇଥିଲେ । ପରେ ୧୪ ଅଗଷ୍ଟ ୧୯୮୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆସାମ ବୁଝାମଣା କରିଥିଲେ । ଏହି ବୁଝାମଣାର ମୂଳ ଥିଲା ଏନଆରସି । ଏହା ଅନ୍ତର୍ଗତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଏନଆରସି ପ୍ରସ୍ତୁତ ହେବ । ଏହାକୁ ସେତେବେଳର ପ୍ରଧାନମନ୍ତ୍ରୀ ଆଣିଥିଲେ ମଧ୍ୟ କାର୍ଯ୍ୟକାରୀ କରିବାକୁ ସାହସ ନଥିଲେ । ଏବେ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ସାହସ ରଖୁଛି ବୋଲି ଅମିତ କହିଥିଲେ ।

ସୂଚନା ଅନୁସାରେ, ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଂଜୀକରଣ କରିଥିଲେ । ତେବେ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି । ଫଳରେ ପ୍ରାୟ ୪୦ ଲକ୍ଷ ଲୋକ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତ୍ୱରୁ ବଂଚିତ ହୋଇଛନ୍ତି । ଏନଆରସି ଅଧିକାରୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଥିଲେ ।