ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ମନ୍ତ୍ର ଦେଲେ ମଙ୍ଗୁଆଳ! ଅମିତ ଶାହା କହିଲେ ମୋଦିଙ୍କ ଅଗ୍ରାଧିକାର ତାଲିକାରେ ଅଛି ଓଡିଶା

21

କନକ ବ୍ୟୁରୋ: ଅମିତ ଶାହାଙ୍କ ସାମ୍ନାରେ ଉଠିଲା ଆକ୍ରୋଶ ମୂଳକ ରାଜନୀତିର କଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ଗ୍ୟାସ ଏଜେନ୍ସି ଉପରେ ଭିଜିଲାନ୍ସ ରେଡ୍ କଥା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ନାରେ ଉଠାଇଲେ ବିଜେପି ନେତା । କିଭଳି ଉଦ୍ଦେଶ୍ୟମୂଳକ ଭାବେ ନବୀନ ସରକାର ଭିଜିଲାନ୍ସକୁ ବ୍ୟବହାର କରିଛନ୍ତି ସେନେଇ କିଛି ସମୟ ଆଲୋଚନା ହୋଇଥିଲା । ପୁରୀ ଗସ୍ତରେ ଥିବା ଅମିତ ଶାହା ଆଜି ଦଳୀୟ କାର୍ଯ୍ୟାଳୟରେ ଭେଟିଥିଲେ ବରିଷ୍ଠ ନେତାଙ୍କୁ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏ ରୁଦ୍ଧଦ୍ୱାର ବୈଠକକୁ ବେଶ ଗୁରୁତ୍ୱ ଦିଆଯାଉଥିଲା ।

ବରିଷ୍ଠ ନେତାଙ୍କ ସହ ପ୍ରାୟ ଅଧଘଂଟା ଧରି ଆଲୋଚନା କରିଥିଲେ ଅମିତ ଶାହା । ସୂଚନା ଅନୁସାରେ, ଅମିତ ଦଳୀୟ ନେତାଙ୍କୁ କହିଥିଲେ, କେନ୍ଦ୍ରର ଅଗ୍ରାଧିକାର ତାଲିକାରେ ଓଡିଶା ରହିଛି । କାରଣ ଗତ ଅଢେଇ ବର୍ଷ ମଧ୍ୟରେ ମୋଦି ୪ ଥର ରାଜ୍ୟ ଗସ୍ତ କରିଥିବା ବେଳେ ସେ ନିଜେ ୩ ଥର ଆସିଛନ୍ତି । କେନ୍ଦ୍ରର ବିଭିନ୍ନ ଯୋଜନାରେ ରାଜ୍ୟ ଅଗ୍ରାଧିକାର ପାଉଛି । ଏହି ମେସେଜକୁ ତୃଣମୁଳ ସ୍ତରରେ ଲୋକଙ୍କ ନିକଟରେ ପହଂଚାଇବାକୁ ଅମିତ ଶାହା ଦେଇଥିଲେ ପରାମର୍ଶ ।

ଆସନ୍ତା ମାସରେ ହେବାକୁ ଥିବା ପଂଚାୟତ ନିର୍ବାଚନ ଆଗରୁ ଅମିତଙ୍କର ଏହି ମନ୍ତ୍ର ଦଳକୁ କେଉଁ ପ୍ରକାର ଫାଇଦା ଦେଉଛି, ତା ଉପରେ ନଜର । ବିଜେଡି ଶିବିରରେ ସିବିଆଇ ଧସେଇ ପଶିବା ପରେ ବିଜେଡି ଭିଜିଲାନ୍ସକୁ ବ୍ୟବହାର କରିଥିବା ଅଭିଯୋଗ ରହିଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅମିତ ଶାହା ଦଳୀୟ ନେତାଙ୍କୁ ଭେଟି କିଛି ସମୟ ରାଜନୈତିକ ଚର୍ଚ୍ଚା କରିଥିଲେ । ତେବେ ଆକ୍ରୋଶ ମୂଳକ ରାଜନୀତି ଆଗକୁ କେଉଁ ମୋଡ ନେବ, ତା ଉପରେ ନଜର ।