‘ସତ ହେଉ କି ମିଛ ହ୍ୱାଟ୍ସଆପରେ ଭାଇରାଲ କର’ ! ଅମିତ ଶାହାଙ୍କ ବୟାନକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

41

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବୟାନ ରାଜନୀତିରେ ଲଗାଇଛି ନିଆଁ । ବିଜେପି ସୋସିଆଲ ମିଡ଼ିଆ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରଖିଥିବା ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମ ସୁଚନା ମୁତାବକ ଗତ କିଛି ଦିନ ତଳେ ରାଜସ୍ଥାନ କୋଟାରେ ଆୟୋଜିତ ବିଜେପି ସୋସିଆଲ ମିଡ଼ିଆ ସମ୍ମିଳନୀରେ ଅମିତ ଶାହା କହିଛନ୍ତି ଯେ, “ସତ ହେଉ କି ମିଛ  ଖବର ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶବାସୀଙ୍କ ମଧ୍ୟରେ ଭାଇରାଲ କରିବାକୁ ସକ୍ଷମ” । ୩୨ ଲକ୍ଷ ବିଜେପି କର୍ମୀଙ୍କୁ ନେଇ ହୋଇଥିବା ହ୍ୱାଟ୍ସଆପ ଗ୍ରୁପକୁ ଆକ୍ଟିଭ୍ ମୋଡକୁ ଆଣିବା ପାଇଁ ଏଭଳି ମନ୍ତବ୍ୟ ରଖିଛନ୍ତି ବିଜେପି ମୁଖିଆ ଅମିତ ଶାହା । ଯାହା ଏବେ କେନ୍ଦ୍ର ରାଜୀନତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେବଳ ଏତିକି ନୁହେଁ ଏହାର ଉଦାହରଣ ଦେଇ ଶାହା କହିଛନ୍ତି ଯେ, ଅଖିଳେଶ ସିଂ ଯାଦବ ତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କୁ ଚାପୁଡ଼ା ମାରିଥିବା ଖବର ସମୂର୍ଣ୍ଣ ମିଥ୍ୟା ହୋଇଥିଲେ ମଧ୍ୟ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହା ହୁଏତ ଜନତାଙ୍କ ପାଖରେ ପହଁଚିବାର ସଠିକ୍ ଉପାୟ ନ ହୋଇପାରେ କିନ୍ତୁ ଆମ ଦଳ ଯେ କୌଣସି ସୂଚନା ଜନସାଧାରଣଙ୍କ ପାଖରେ ପହଁଚାଇବାକୁ ସକ୍ଷମ ଅଛି ।

ତେବେ ଅମିତ୍ ଶାହାଙ୍କ ଏଭଳି ବୟାନ ରାଜନୀତି ମାହୋଲକୁ ପୂରା ଉଷ୍ମ କରିଦେଇଛି । ଦଳ କ୍ଷମତାରେ ଥିବା ଯୋଗୁଁ ଏଭଳି ଔଧ୍ୟତ୍ୟପୂର୍ଣ୍ଣ ମନ୍ତବ୍ୟ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କ’ଣ ଭାରତୀୟ ମାନେ ମୁର୍ଖ ନା ଅପାଠୁଆ ? ମିଛ ଖବର ଭାଇରାଲ କରାଇବାକୁ ପ୍ରୋତ୍ସାହିତ କରି ଦେଶବାସୀଙ୍କୁ କ’ଣ ସଂକେତ ଦେବାକୁ ଚାହୁଁଛନ୍ତି ବିଜେପି ମୁଖିଆ ଅମିତ ଶାହା । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ?