ନାଗରିକତା ଆଇନ୍ ସମର୍ଥନ ସଭାରେ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ : କହିଲେ, ଭୁଲ ପ୍ରଚାର କରୁଛନ୍ତି ବିରୋଧୀ . . .ନାଗରିକତା ଦେବାର ଆଇନ୍ ସିଏଏ, ଛଡ଼ାଇ ନେବା ନୁହେଁ, ଏପଟେ ନବୀନଙ୍କୁ ନେଇ ବଦଳିଲା ସ୍ୱର

291

କନକ ବ୍ୟୁରୋ : ବଦଳିଗଲା ଶାହାଙ୍କ ସ୍ୱର । ସମାଲୋଚନା ନୁହେଁ ପରାମର୍ଶ ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । କହିଛନ୍ତି, କେନ୍ଦ୍ର ଦେଉଥିବା ଅନୁଦାନକୁ ରାଜ୍ୟ ସରକାର ସଠିକ ଭାବେ ଖର୍ଚ୍ଚ କରନ୍ତୁ । ସେହିପରି ଓଡିଶାକୁ ପୂର୍ବଭାରତର ମଜବୁତ ସ୍ତମ୍ଭ ବୋଲି କହିଛନ୍ତି ଅମିତ ଶାହା । ଏସବୁ ଭିତରେ ନାଗରିକତା ଆଇନକୁ ନେଇ ବର୍ଷିଛନ୍ତି ଗୃହମନ୍ତ୍ରୀ । କହିଛନ୍ତି, ସିଏଏକୁ ନେଇ ଭ୍ରମିତ କରୁଛନ୍ତି ବିରୋଧୀ । ଆଉ ନାଗରିକତା ଆଇନ କାହାର ନାଗରିକତା ଛଡେଇନେବା ନୁହେଁ ବରଂ ନାଗରିକତା ଦେବା ବୋଲି କହିଛନ୍ତି ଅମିତ ଶାହା ।

ନାଗରିକତା ଆଇନ୍କୁ ନେଇ ଯେତେବେଳେ ଦିଲ୍ଲୀରେ ନିଆଁ ଜଳୁଛି, ଠିକ୍ ସେତିକିବେଳେ ସିଏଏ ପ୍ରସଙ୍ଗରେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ । କହିଛନ୍ତି-ଲୋକଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ । ନାଗରିକତା ଆଇନ୍, ନାଗରିକତା ଛଡ଼ାଇ ନେବାର ଆଇନ ନୁହେଁ, ବରଂ ନାଗରିକତା ଦେବାର ଆଇନ୍ । ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଭଳି ଦେଶରେ ଯେଉଁ ସଂଖ୍ୟାଲଘୁ ମାନେ ଧର୍ମ ଆଧାରରେ ନିର୍ଯାତିତ ହୋଇଛନ୍ତି, ସେମାନଙ୍କୁ ନାଗରିକତାର ଦେବାର ପ୍ରୟାସ କରିଛନ୍ତି ମୋଦି ।

ନିର୍ବାଚନ ସମୟରେ ନବୀନ ସରକାରଙ୍କୁ ଓପାଡି-ଫୋପାଡ଼ି ଦେବାର ଆହ୍ୱନ ଦେଉଥିବା ଅମିତ ଶାହାଙ୍କ ସ୍ୱର ଏବେ ଯେମିତି ନରମି ଯାଇଛି । ପ୍ରତିକଥାରେ ବିଜେଡିକୁ ସମାଲୋଚନା କରୁଥିବା ଅମିତ ଶାହା ଏବେ ନବୀନ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି-କେନ୍ଦ୍ର ଦେଉଥିବା ଅର୍ଥକୁ ରାଜ୍ୟ ଠିକ୍ରେ ଖର୍ଚ୍ଚ କରୁ । ସେହିପରି ଓଡ଼ିଶାକୁ ପୂର୍ବଭାରତର ଏକ ମଜବୁତ ସ୍ତମ୍ଭ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଏପଟେ ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି କଂଗ୍ରେସ । ଭୁବନେଶ୍ୱରେ ଅମିତ ଶାହାଙ୍କ କୁଶପୁତଳିକା ଦାହ କରିବା ସହ ଦିଲ୍ଲୀ ହିଂସା ପାଇଁ ଅମିତ ଶାହାଙ୍କୁ ଦାୟି କରିଛି କଂଗ୍ରେସ । ଏମିତି କି ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି ଦଳ ।