ପଶ୍ଚିମ ଓଡ଼ିଶା ପାଇଁ ବଳ କଷୁଛନ୍ତି ବିଜେପି ଚାଣକ୍ୟ ! ଆସୁଛନ୍ତି ଶାହା, ୧୫ରେ ସମାବେଶ ।

146

କନକ ବ୍ୟୁରୋ : ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଛି, ଅନ୍ୟପଟେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃବର୍ଗ । ଓଡ଼ିଶା ଯେପରି ଏକ ଋଣକ୍ଷେତ୍ରରେ ପରିଣତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟରାଜନୀତି ଏବେଠାରୁ ସରଗରମ ହେବାରେ ଲାଗିଛି ।

ପୁଣି ଥରେ ଓଡ଼ିଶା ଗସ୍ତାରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।  ଆସନ୍ତା ୧୫ ରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।  ସମ୍ବଲପୁର ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ଶାହ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ ଲୋକସଭା କ୍ଷେତ୍ରର ବୁଥ ସଭାପତି, ସମ୍ପାଦକ, ପ୍ରଭାରୀମାନେ ସାମିଲ ହେବେ । ଏଥିରେ ମୋଟ ୬୦ହଜାର ଦଳୀୟ କାର୍ଯ୍ୟକର୍ତା ସାମିଲ ହେବାନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତ ୩ ତାରିଖରେ ଓ ଜାନୁୟାରୀ ୨୯ ତାରିଖରେ ଓଡ଼ିଶା ଆସିଥିଲେ ଶାହ । ଗତ ୩ ତାରିଖରେ ପୁରୀରେ ବିଜେପି ରାଷ୍ଟ୍ରୀୟ ଜନଜାତି ଅଧିବେଶନରେ ବିଜେଡି ଓ କଂଗ୍ରେସକୁ  ଟାର୍ଗେଟ କରିଥିଲେ ଅମିତ ଶାହା । ଏହାସହ ୨୦୧୯ରେ ପୋଡା ଟ୍ରାନ୍ସଫର୍ମର ପାଲଟି ଯାଇଥିବା ବିଜେଡି ସରକାରକୁ ଉପାଡି ଫିଙ୍ଗି ଦେବା ସହ ବିଜେପିକୁ ସରକାରକୁ ଆଣିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ତେବେ ଏଥିର ଓଡ଼ିଶା ଗସ୍ତରେ ଆସି ଶାହା କ’ଣ କହିବେ ତା’ଉପରେ ସମସ୍ତଙ୍କ ନଜର ।