ଆଜିଠୁ ମୁମ୍ବାଇରେ ବିଜେପିର ସମର୍ଥନ ପାଇଁ ସମ୍ପର୍କ ଅଭିଯାନ: ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କ ସହ ବହୁ ସେଲିବ୍ରିଟିଙ୍କୁ ସାକ୍ଷାତ କରିବେ ଅମିତ ଶାହା

40

କନକ ବ୍ୟୁରୋ: ଆଜିଠୁ ମୁମ୍ବାଇରେ ଆରମ୍ଭ ହେଉଛି ବିଜେପିର ସମର୍ଥନ ପାଇଁ ସମ୍ପର୍କ ଅଭିଯାନ । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କ ସହ ବହୁ ସେଲିବ୍ରିଟିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଉଦ୍ଧବ ଥାକରେଙ୍କ ବାସଭବନ ମାତୋଶ୍ରୀରେ ତାଙ୍କୁ ସାକ୍ଷାତ କରିବେ ଅମିତ ଶାହା । ଏହା ସହ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନେନେ, ବିଶିଷ୍ଟ ଶିଳ୍ପପତି ରତନ ଟାଟା, ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସହ ମଧ୍ୟ ଶାହାଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

ଉଦ୍ଧବଙ୍କୁ ଭେଟିବା ପଛର କାରଣ?

ପାଲଗଢ଼ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ବିଜେପି ବିଜୟ ହୋଇଛି ସତ କିନ୍ତୁ ବିଜେପିର ନିକଟତର ହେବା ପାଇଁ ସମକକ୍ଷ ହୋଇଛି ଶିବସେନା । ପାଲଗଢ଼ ଲୋକସଭା ଉପ-ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଗାଭିତ ରାଜେନ୍ଦ୍ର ଧେଢ଼ୟା ୨ ଲକ୍ଷ ୭୨ହଜାର ୭୮୦ ଖଣ୍ଡ ଭୋଟ ହାସଲ କରି ବିିଜୟ ହୋଇଥିବାବେଳେ, ଶିବସେନାର ଶ୍ର୍ରୀନିବାସ ଚିନ୍ତାମନ ଭାନଗା ମାତ୍ର ୨୯ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ତେବେ ଏହାକୁ ନେଇ ଶିବସେନା ସାଂସଦ ସଞ୍ଜୟ ରାଓତ କହିଛନ୍ତି ଯେ, ଆମେ ଏକାକୀ ଲଢ଼ି ଯଦି ମାତ୍ର କେଇ ହଜାର ଭୋଟରେ ପରାଜିତ ହେଲୁ, ତେବେ ଏଭଳି ଜନ ସମର୍ଥନ ଆଗାମୀ ନିର୍ବାଚନ ପାଇଁ ଶିବସେନାଙ୍କୁ ଶକ୍ତି ଦେବ ।

ବିଜେପିରେ ବର୍ତ୍ତମାନ ଅସନ୍ତୋଷ ଦେଖା ଦେଇଛି ଯେଉଁଥି ପାଇଁ କିଛି ନେତାମାନେ ଦଳ ମଧ୍ୟ ଛାଡିଥିବା ଘଟଣା ସମ୍ନାକୁ ଆସିଛି । ଏପରିକି ଲୋକମାନେ ମଧ୍ୟ ବିଜେପିକୁ ପ୍ରତ୍ୟାଖାନ କରୁଥିବା କାରଣରୁ ବିଜେପି ଅନ୍ୟ ଦଳ ମାନଙ୍କ ସହିତ ବୁଝାମଣା କରିବା ଆରମ୍ଭ କରିଥିବା ଜଣାପଡୁଛି । ଅନ୍ୟପଟେ ଦୀର୍ଘ ୪ ବର୍ଷ ଧରି ଦୂେଇଥିବା ଶିବସେନାକୁ ହଠାତ୍ ମନେ ପକାଇବା ଏବଂ ରାଜନୈତିକ ଭାଷାରୁ ସ୍ପଷ୍ଟ ହେଉଛି ଯେ ବିଜେପି କେଉଁଠି ନା କେଉଁଠି ଭୟବୀତ ହେବାକୁ ଲାଗିଛି । ବିରୋଧୀଙ୍କ ମେଣ୍ଟରେ ବିଜେପିର ସାଥ କିଏ ଦେବ ଏନେଇ ବାଟ ଖୋଜୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।