କର୍ମକର୍ତ୍ତା ସମ୍ମିଳନୀରେ ଶାହା ମାରିଲେ ବାଣ ! ନବୀନଙ୍କୁ ସବୁ ରାତିରେ ଆସୁଛି ପଦ୍ମ ସ୍ୱପ୍ନ

71

କନକ ବ୍ୟୁରୋ : ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ସମାଲୋଚନା କରିବାର ଗୋଟିଏ ବି ମଉକା ହାତଛଡା କରିନି ଭାରତୀୟ ଜନତା ପାର୍ଟି । ଗୋଟିଏ ଗୋଟିଏ ମୁଦ୍ଦା ଉଠାଇ ଘେରିଛି ଦଳ । କେନ୍ଦ୍ର ଦେଉଥିବା କେନ୍ଦ୍ରୀୟ ଅନୁଦାନର କଡା ଗଣ୍ଡା ହିସାବ ମାଗିଛି । ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅମିତ ଶାହାଙ୍କୁ ସ୍ୱାଗତ କରି କହିଥିଲେ ଯେ, ଶାହା ଅପ୍ରେଲରେ ଏଇ ମଇଦାନକୁ ଆସିଥିଲେ । ପରେ ଜୁଲାଇରେ ୭ଶହ କିଲୋମିଟର ଚାଲି, ଓଡିଆଙ୍କ ସହ ମିଶିଥିଲେ । ଯେଉଁଥିପାଇଁ ଗତ କିଛିଦିନ ମଧ୍ୟରେ ଓଡିଶାରେ ରାଜନୈତିକ ଭୁମିକମ୍ପ ହୋଇଛି ।

ତେବେ ଅମିତ ୩ଦିନରେ ୨୫ଟି ଭିନ୍ନ ଭିନ୍ନ ବୈଠକ ନେଇଛନ୍ତି । ଯେଉଁଥିରେ ବିଜେପି ନିଜର ଲକ୍ଷ୍ୟ ହାସଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ତେବେ ମ୍ୟୁମନ୍ତ୍ରୀଙ୍କୁ କଟାକ୍ଷ କରି କହିଥିଲେ ନବୀନ ଓଡିଆ ବୁଝନ୍ତିନି ତଥାପି ତାଙ୍କୁ ଓଡିଆରେ ବୁଝାଉଛି । ନବୀନଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଥିଲେ, ମନ୍ଦିର ଭିତରେ କିଏ, ମୁଁ କଦଳୀ ଖାଇନି ବୋଲି ନବୀନ କାହିଁକି କହୁଛନ୍ତି ।

ରାଷ୍ଟ୍ରୀୟ ସଭାପତି କହିଲେ ଓଡିଆ ଲୋକଙ୍କ ଆଶୀର୍ବାଦରୁ ବିଜେପି ଜିତିବ । ଦଳର ସର୍ବୋଚ୍ଚ ନେତା ପାର୍ଲାମେଣ୍ଟକୁ ଯିବା ଦିନ ମୁଣ୍ଡିଆ ମାରିକି ଯାଇଥିଲେ ଓ କହିଥିଲେ ଦେଶର ପ୍ରଧାନ ସେବକ ଭାବେ କାର୍ଯ୍ୟ କରିବି। ନବୀନ ଯଦି ଆମକୁ ହଳିଆ କହୁଛନ୍ତି ତେବେ ଆମ ଭିତରେ ମୋଦି ହେଉଛନ୍ତି ବଡ ହଳିଆ, ଆମେ ସବୁ ଛୋଟ ହଳିଆ । ଆମେ ଓଡିଆ ଲୋକଙ୍କ ହଳିଆ ଓ ଓଡିଶା ବାସୀ ଆମର ମାଲିକ ବୋଲି କହିଥିଲେ ଧର୍ମେନ୍ଦ୍ର । ଆମର ମାଲିକ ଅର୍ଥାତ ଓଡିଶାର ସାଢ଼େ ଚାରିକୋଟି ଲୋକଙ୍କୁ , ଓଡିଶାର ଚାଷୀ, ଯୁବକ, ମହିଳାଙ୍କୁ ନିରାଶ କରିଛନ୍ତି ନବୀନ ବାବୁ ।

ଆମେ କେବେ ତାଙ୍କ ସାର୍ଟିଫିକେଟ ଖୋଜିନୁ, ସେ ବଳେ ବଳେ ଦେଉଛନ୍ତି । ଯେବେ ନିର୍ବାଚନ ହେବ ଏବଂ ଯେଉଁଦିନ ଫଳ ବାହାରିବ, ସେହିଦିନ ସାଢ଼େ ଦଶଟା ଯାଏ ଅପେକ୍ଷା କରନ୍ତୁ, ଫଳ ଦେଖିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନିର୍ବାଚନ ଫଳ ଦେଖିଲେ ନବୀନ ମୁଣ୍ଡରେ ହାତ ଦେବେ ଓ ତାଙ୍କ ପେଟରେ ପୀଡା ହେବ ବୋଲି କଟାକ୍ଷ କରିଛନ୍ତି ସେ । ଏହାସହ କହିଛନ୍ତି, ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ଗରୀବ କରିଛନ୍ତି ନବୀନ । ଆପଣ ସମାଲୋଚନା କଲେ ଆମେ ମୁଣ୍ଡପାତି ସହିବୁ । ବିଜେଡି ବିଧାନସଭାର ପ୍ରଶ୍ନକାଳକୁ ବାତିଲ କରୁଛିି । ମହାରାଷ୍ଟ୍ର ଓ ୟୁପିରେ ସରକାର ଚାଷୀଙ୍କୁ ସ୍ୱତନ୍ତ୍ର ସୁବିଧା ଦେଉଛନ୍ତି । ମଧ୍ୟପ୍ରଦେଶରେ ୧ଲକ୍ଷ ଟଙ୍କା କୃଷିଋଣରେ ୧୦ହଜାର ଟଙ୍କା ଛାଡ ହେଉଛି । ଓଡିଶାରେ ଏଥିପାଇଁ କାହିଁକି ସରକାର ରାଜି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶେଷରେ ଧର୍ମେନ୍ଦ୍ର କହିଥିଲେ, ଓଡିଆ ଲୋକଙ୍କ ପାଇଁ ମୁଁ ଗାଳି ଖାଇବାକୁ ପ୍ରସ୍ତୁତ । ସତ ସାହାସ ଥିଲେ ନବୀନ ବିଧାନସଭାରେ ସ୍ୱାମୀନାଥନଙ୍କ ଟୁଇଟ ପଢ଼ନ୍ତୁ । ଯେଉଁଥିରେ କୁହାଯାଇଛି, କେନ୍ଦ୍ର ସରକାର ଭଲ କାମ କରୁଛି ଓ ଦେଶରେ ୨୦୨୨ ସୁଦ୍ଧା ସବୁ ସଂକଳ୍ପ ପୁରା ହେବ । ଟଙ୍କିକିଆ ଚାଉଳ, କୃଷିଋଣ, କୋରାପୁଟ ଓ ମାଲକାନଗିରିର ମେଡିକାଲ କଲେଜ, ଏଲପିଜି ଗ୍ୟାସ ସଂଯୋଗ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ।

କହିଥିଲେ୧୭ବର୍ଷର ଶାସନ ଆପଣଙ୍କୁ ମଦମସ୍ତ କରିଛି । ଆଉ କିଛିଦିନ ଅୟସ କରନ୍ତୁ । ଓଡିଶାର ଲୋକ ପରିବର୍ତ୍ତନ ମୁହାଁ ହୋଇଛନ୍ତିି । ନୂଆ ଭାରତରେ ନୂଆ ଓଡିଶା ଗଠନ ହେବ ବୋଲି କହିବା ସହ ବିଜେପି ସରକାର ଓଡିଶାରେ ଅର୍ଥନୈତିକ ପ୍ରଗତି କରିବ ବୋଲି କହିଥିଲେ ।

କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଗର୍ଜିଥିଲେ ରାଜ୍ୟ ସରକାରଙ୍କ ଉପରେ । କହିଥିଲେ ବିଜେପି ସରକାର ସମୟରେ ଓଡିଶା ଅଧିକ ସୁବିଧା ପାଇଛି । ବାଜପେୟୀ ସରକାରରେ ୪ଜଣ ମନ୍ତ୍ରୀ ଥିବା ବେଳେ ଏବେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ହେଲେଏ ୟୁପିଏରେ ଜଣେ ଓଡିଆ ମନ୍ତ୍ରୀ ଥିଲେ ଯାହାଙ୍କୁ ପରେ କ୍ୟାବିନେଟରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ଅଣାଯାଇଥିଲେ । ବିଜେଡି ଶାସନରେ ବ୍ଲକରେ ଭ୍ରଷ୍ଟାଚାର ବଢ଼ିଛି । ଗାଁ ଗାଁରେ ଦୁର୍ନିତୀ ହେଉଛି ତେଣୁ ବିଜେଡି ସରକାରକୁ ଉଖାଡି ସମୁଦ୍ରରେ ଫିଙ୍ଗିଦେବା ଆମର ଲକ୍ଷ୍ୟ ବୋଲି ଜୁଏଲ କହିଥିଲେ ।

ଜୁଏଲଙ୍କ ପରେ ଆସିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ରାଜ୍ୟ ସରକାରଙ୍କୁ ସମାଲୋଚନାର କରିବାର କୌଣସି ମଉକା ଛାଡି ନଥିଲେ ବସନ୍ତ । କହିଥିଲେ ୨୦୧୯ରେ ବିଜେଡିକୁ ଉପାଡି ବଙ୍ଗୋପ ସାଗରରେ ଫୋପାଡି ଦେବା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିନକୁ ୧୮ଘଣ୍ଟା ପରିଶ୍ରମ କରୁଛନ୍ତି । ତେଣୁ ଆମେ ବି ସେମିତି ପରିଶ୍ରମ କରିବା ଓ ତାଙ୍କର ଲକ୍ଷ୍ୟ ୧୨୦ ଆସନ ଜିତିବାକୁ ସାକାର କରିବା । ୨୦୧୯ରେ ଭ୍ରଷ୍ଟାଚାର, ଅନ୍ଧମୂକବଧୀର ଶାସନର ଅନ୍ତ ହେବ ବୋଲି କହିଥିଲେ ବସନ୍ତ ପଣ୍ଡା ।

ଶେଷରେ ମଂଚକୁ ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ନିଜ ଭାଷଣ ଆରମ୍ଭରୁ ହିଁ ଟାର୍ଗେଟ କରିଥିଲେ ବିଜେଡି ଓ ବିଜେଡି ସୁପ୍ରିମୋଙ୍କୁ । ଟିକେ ବି ଛାଡି ନଥିଲେ । ଭାରତ ମାତାକୀ ଜୟରୁ ନିଜ ଭାଷଣ ଆରମ୍ଭ କରି ଓଡିଶା ମାଟିକୁ ପ୍ରଣାମ କରିଥିଲେ ଶାହା । କହିଲେ ଏତେ ଜୋରରେ ଭାରତ ମାତା କି ଜୟ କୁହନ୍ତୁ ଯେମିତି ନବୀନଙ୍କର ବିଶ୍ୱାସ ହେବ ବିଜେପି ସରକାର ଗଢ଼ିବ ବୋଲି ।

ଶାହା କହିଥିଲେ ବର୍ଷେ ତଳେ ଆସିଥିଲି । ବର୍ଷେ ଭିତରେ ୪ଥର ଓଡିଶା ଆସିଛି । ଆଜିର କାର୍ଯ୍ୟକ୍ରମ କୌଣସି ଜନସଭା ନୁହେଁ ବରଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୋଲି କହିଥିଲେ ଅମିତ । ଏହାସହ ଆହୁରି କହିଥିଲେ, କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଏତେଲୋକ ଏକାଠି ହୋଇଛନ୍ତି ଯାହାକୁ ଦେଖିଲେ ସମଗ୍ର ଓଡିଶାବାସୀଙ୍କ ଭରସା ହେବ ରାଜ୍ୟରେ ବିଜେପି ସରକାର ଗଢ଼ିବ ।

ଶାହା କହିଥିଲେ, ବିକାଶ ଠାରୁ ଅନେକ ଦୂରରେ ଓଡିଶା । ୨୦୧୪ରେ ପୁରା ଦେଶର ଜନତା ନରେନ୍ଦ୍ର ମୋଦିଙ୍କୁ ଭରସା କରିଥିଲେ । ଯାହାଦ୍ୱାରା ପୂର୍ଣ୍ଣ ବହୁମତରେ କେନ୍ଦ୍ରରେ ସରକାର ଗଢ଼ିିଛି ଦଳ । ଏହି ତିନିବର୍ଷ ଭିତରେ ମୋଦି ସରକାର ଉପରେ ଭ୍ରଷ୍ଟାଚାରର କୌଣସି ଆରୋପ ଲାଗିନି । ତିନିବର୍ଷରେ ମୋଦି ଗରୀବଙ୍କ ପାଇଁ ରାତିଦିନ ଏକ କରିଛନ୍ତି । ଜନଧନ ଆକାଉଣ୍ଟ, ଶୌଚାଳୟ ନିର୍ମାଣର ଉଦାହରଣ ଦେବା ସହିତ ସେ କହିଥିଲେ ପେଟ୍ରୋଲିୟମ ବିଭାଗ ଗରୀବ ମହିଳାଙ୍କ ଘରେ ଗ୍ୟାସ ପହଂଚାଇଛି । କେନ୍ଦ୍ରର ମୋଦି ସରକାର ଦଳିତ, ଗରୀବ, ପଛୁଆବର୍ଗ ଓ ଚାଷୀଙ୍କ ସରକାର ।

ସର୍ଜିକାଲ ଷ୍ଟ୍ରାଇକର କଥା ବି ଉଠାଇଥିଲେ ଅମିତ ଶାହ । କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମ୍ମାନ ସାରା ଦୁନିଆରେ ବଢ଼ାଇଛନ୍ତି । ଯେଉଁଠିକୁ ଯାଉଛନ୍ତିି, ସେଠି ମୋଦିଙ୍କୁ ସ୍ୱାଗତ କରାଯାଉଛି । ଏହା ମୋଦିଙ୍କ ସ୍ୱାଗତ ନୁହେଁ, ବରଂ ସାରା ଭାରତର ସ୍ୱାଗତ । କେନ୍ଦ୍ରୀୟ ଅନୁଦାନର କଡାଗଣ୍ଡା ହିସାବ ମାଗିଥିଲେ ଶାହା । କହିଥିଲେ ମୁଁ ତିନିବର୍ଷର ହିସାବ ତିନି ଦିନ ଯାଏ ଦେଇପାରିବି । କିନ୍ତୁ ଆଜି ୧୭ବର୍ଷର ହିସାବ ନେବାକୁ ଆସିଛି । ଜୀବନରେ ୧୭ବର୍ଷର ମହତ୍ୱ ବେଶ ଅଧିକ । ବିଜେପି ଶାସିତ ରାଜ୍ୟରେ ବିକାଶ କେଉଁଠୁ କେଉଁଠି ପହଂଚିଛି ।

ଓଡିଶା ବିକାଶ ଠାରୁ ମାଇଲ ମାଇଲ ଦୂରରେ । ଆଜି ବି ଓଡିଶାର ସବୁ ଘରେ ବିଶୁଦ୍ଧ ପିଇବା ପାଣି ମିଳି ପାରୁନି । ସବୁ ଗାଁରେ ୨୪ ଘଣ୍ଟା ବିଜୁଳି ମିଳିପାରୁନି । ସବୁ ଘରେ ଶୌଚାଳୟ ନିର୍ମାଣ ହେଇପାରୁନି । ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଡାକ୍ତରଖାନା ନାହିଁ । ଗାଁକୁ ଯିବା ପାଇଁ ପକ୍କା ସଡକ ନିର୍ମାଣ ହୋଇନି । ଯଦି ଲୋକଙ୍କ ପାଇଁ କିଛି ହୋଇନି, ତାହେଲେ ୧୭ବର୍ଷରେ ମୁଖ୍ୟମନ୍ତ୍ରୀ କରିଛନ୍ତି କଣ ବୋଲି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ଶାହା । ତେବେ ବିଜେଡି ମୁଖିଆ ନବୀନ କେବଳ ଓଡିଶାରେ ବେରାଜଗାରୀ ବଢ଼ାଇବା କାମ କରିଛନ୍ତି ବୋଲି କଟାକ୍ଷ ବାଣ ଛାଡିଛନ୍ତି ଅମିତ ।

ଶାହା ଆହୁରି ମଧ୍ୟ କହିଥିଲେ, ଦେଶରେ ଯୁଆଡେ ଦେଖିବ ସବୁଠି ଓଡିଶାର ଶ୍ରମିକ, ମଜୁଦରି କରୁଛନ୍ତିି । ଦେଶର ବିକାଶରେ ଓଡିଶା ବାସୀଙ୍କ ଝାଳ ଲାଗୁଛି । ଆଦିବାସୀଙ୍କ ପରିଶ୍ରମ ଲାଗିଛି । କିନ୍ତୁ ଯେଉଁ ଓଡିଶାବାସୀ ଦେଶର ବିକାଶ କରି ପାରୁଛନ୍ତି ଗୋଟିଏ ନିକମା ସରକାର ପାଇଁ ସେମାନେ ନିଜ ରାଜ୍ୟର ବିକାଶରେ ଭାଗିଦାରୀ ହୋଇ ପାରୁନାହାଁନ୍ତିି ।

ପୁଣି ଥରେ ପୋଡା ଟ୍ରାନ୍ସଫର୍ମରର କଥା ଉଠାଇଥିଲେ ଶାହା । କହିଥିଲେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ ବଡ ବିଦ୍ୟୁତ କାରଖାନା । ଯାହା ଦେଶ ସାରା ବିକାଶର ବିଦ୍ୟୁତ ପହଂଚାଉଛି । କିନ୍ତୁ ଓଡିଶା ସରକାର ଏକ ଟ୍ରାନ୍ସଫର୍ମର ଯାହା ପୋଡି ଯାଇଛି । ଯେମିତି ଗାଁରେ ଟ୍ରାନ୍ସଫର୍ମର ଜଳିଗଲେ ତାହାକୁ ବଦଳାଯାଏ । ସେମିତି ଏହି ଟ୍ରାନ୍ସଫର୍ମରକୁ ବି ବଦଳାଇବାକୁ ପଡିବ । ଖାଲି ବଦଳାଯିବନି ଉପାଡି ଫିଙ୍ଗିଦେବାକୁ କହିଥିଲେ ଶାହ ।

ଶାହା କହିଛନ୍ତି ଓଡିଶାରେ ବିଜେପି ସରକାର ଗଢ଼ିଲେ । ବିକାଶ ହେବ, ରାଜ୍ୟ ଆଗକୁ ଯିବ । ରାଜ୍ୟରେ ଟୁରିଜିମ ଫୋର୍ଟ ହେବ । ରାଜ୍ୟର ସବୁ ଘରେ ବିଜୁଳି ପହଂଚିବ, ସବୁ ଘରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ । ଯାହା ନବୀନ ପଟ୍ଟନାୟକ କରିପାରିବେନି । ତେଣୁ ବିକାଶ ପାଇଁ ରାଜ୍ୟରେ ବିଜେପିର ମଜବୁତ ସରକାର ବନାଇବାକୁ ପଡିବ ବୋଲି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀ ଅଧ୍ୟକ୍ଷ ।

ଓଡିଶା ଲୋକ ପଂଚାୟତ ନିର୍ବାଚନରେ ଦଳକୁ ଆଶିର୍ବାଦ ଦେଇଛନ୍ତି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାତିରେ ପଦ୍ମକୁ ସ୍ୱପ୍ନରେ ଦେଖୁଛନ୍ତିି । କେନ୍ଦ୍ର ସରକାର ବିକାଶ ମୂଳକ କାମ କରିବାକୁ ଚାହିଁଲେ , ବିଜେଡି ସରକାର ତାହା କରେଇ ଦେଉନି । ତେଣୁ ଓଡିଶାର ବିକାଶ ପାଇଁ ୨୦୧୯ ଜୁନରେ ଓଡିଶାରେ ବିଜେପି ସରକାର ବନିବା ନିଶ୍ଚିତ । ଏହାପରେ ବିକାଶକୁ କେହି ରୋକି ପାରିବେନି । ତ୍ରୟୋଦଶ ଓ ଚତୁର୍ଦ୍ଦଶ ଅର୍ଥ କମିଶନରେ ୧ଲକ୍ଷ ୩୨ ହଜାର କୋଟି ଅର୍ଥ ଦେଇଛି କେନ୍ଦ୍ର । ଅଲଗା ଅଲଗା ଯୋଜନାରେ କେନ୍ଦ୍ର ପ୍ରାୟ ୨ଲକ୍ଷ ୬୦ ହଜାର କୋଟି ଅର୍ଥ ପ୍ରଦାନ କରିଛି ରାଜ୍ୟକୁ । ଏହି ହିସାବରେ କେନ୍ଦ୍ର ଗଲା ତିନିବର୍ଷରେ ୩ଲକ୍ଷ ୯୪ ହଜାର କୋଟି ଅର୍ଥ ପ୍ରଦାନ କରିଛି ।

ଶାହା ବିଜେଡିକୁ ଆହ୍ୱାନ ଦେଇ କହିଥିଲେ, ମୁଁ କେନ୍ଦ୍ରୀୟ ଅନୁଦାର ହିସାବ ଦେଲି । ଏବେ ୪ଲକ୍ଷ କୋଟି କେଉଁ କାମରେ ଲାଗିଛି ତାହାର ହିସାବ ଦେବାକୁ ବିଜେଡିକୁ ଚ୍ୟାଲେଞ୍ଜ କରି କହିଥିଲେ । କହିଥିଲେ କେନ୍ଦ୍ରୀୟ ଅନୁଦାନ ଦେବା ଆମର ଦାୟିତ୍ୱ ଏବଂ ଆମେ ଅମାର ଦାୟତ୍ୱ ପୁରା କରିଛୁ । ରାଜ୍ୟକୁ ଆମେ ଦୟା କରିନୁ । କିନ୍ତୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନକୁ ତଳସ୍ତରରେ ପହଂଚାଇବାର ଦାୟିତ୍ୱ ରାଜ୍ୟ ସରକାରଙ୍କର । ଯାହା କାହିଁକି ହୋଇନି ବୋଲି ଶାହା ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରରୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ଅଧାରାସ୍ତାରେ ଚଳୁ ହୋଇଯାଇନି ତ ବୋଲି ଶାହା ପ୍ରଶ୍ନ କରି ବାଣ ଛାଡିଛନ୍ତି । ଚିଟଫଣ୍ଡ ଦୁର୍ନିତୀ ନେଇ ବି ଶାହା ବର୍ଷିଛନ୍ତି ରାଜ୍ୟ ସରକାର ଉପରେ । କହିଥିଲେ ଜମାକାରୀଙ୍କୁ ଛିଡା କଲେ ଧାଡି ଓଡିଶାରୁ ଦିଲ୍ଳୀ ଯାଏ ହେବ । ୨୦୧୯ରେ ରାଜ୍ୟରେ ବିଜେପି ସରକାର ଆସିଲେ ଏଥିରେ ସଂପୃକ୍ତିି ସମସ୍ତଙ୍କୁ ଜେଲରେ ପୁରେଇ ଦେବୁ ବୋଲି ସେ କହିଥିଲେ ।

ଏହାସହ କହିଥିଲେ ସବୁ ବୁଥରେ ବିଜେପି କର୍ମୀ ଯୋଗାଡ କାମ ୯୦ ପ୍ରତିଶତ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପୂର୍ବ ଭାରତକୁ ବିକାଶ କରିବା ପାଇଁ ମୋଦି କହିଥିଲେ । ପୂର୍ବ ଭାରତର କଥା ଆସିଲେ ପ୍ରଥମେ ଓଡିଶାର ନାଁ ଆସେ । ତେଣୁ ଏଠିକା ବିକାଶ କରିବାକୁ କେନ୍ଦ୍ର ସରକାର ନିରନ୍ତର ଚେଷ୍ଟିତ । ହେଲେ ଏଠିକା ସରକାର ମୋଦିଙ୍କୁ ସହଯୋଗ କରୁନି । ତେଣୁ ଓଡିଶା ବାସୀ ବିଜେପି ସରକାର ବନାଇଲେ ମୋଦିଙ୍କ କାନ୍ଧରେ କାନ୍ଧ ମିଶାଇ ବିକାଶ ଆଗକୁ ଯିବ ।

ଶେଷରେ ଭାଷଣ ଶେଷ କରିବା ପୂର୍ବରୁ ଭାଷାବାଣ ଛାଡିଥିଲେ ଶାହ । କହିଥିଲେ ମୁଁ ଗୁଜୁରାଟରୁ ଆସିଛି । ଓଡିଶାରେ ଜନ୍ମ ହୋଇନି । କିମ୍ବା ଓଡିଆ ପଢ଼ିନି କି ଶିକ୍ଷା ନେଇନି । ଓଡିଆ କହିପାରୁନି ବୋଲି ଦୁଖିତ । ଓଡିଆ କହିପାରୁନଥିବାରୁ କ୍ଷମା ମାଗୁଛି ହେଲେ ଯିଏ ଓଡିଆ କହିପାରୁନି ସେ କଣ କ୍ଷମା ମାଗୁଛି କି ବୋଲି କହି ପୁଣି ଏକ ବାଣ ଛାଡିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ।

ଶେଷରେ ପ୍ରତି ଗାଁର ୫୦ଘରକୁ ଯାଇ ନରେନ୍ଦ୍ର ମୋଦିଙ୍କ ବିକାଶ କଥା କହିବା ସହ ପଦ୍ମ ଚିହ୍ନକୁ ପଂଚାଇବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଯାହାଦ୍ୱାରା ଦଳ ୧୨୦ ଆସନ ଜିତିପାରିବ ବୋଲି ଶାହା ନିଜ ଭାଷଣରେ କହିଥିଲେ । ତେବେ ବିଜେପିର ଏହି ସମ୍ମିଳନୀ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ।