ଅମିତ ଶାହଙ୍କ ଓଡିଶା ପ୍ଲାନ୍ ! ୨୦୧୯ରେ ନବୀନଙ୍କୁ ହରାଇବାକୁୁ ନିଜେ ଧରିବେ ମଙ୍ଗ

0

କନକ ବ୍ୟୁରୋ : ୨୦୧୯ ଓଡିଶା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଦେଶର ସମସ୍ତ ଅଂଚଳରେ ବିଜେପିର ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛନ୍ତି ଦଳର ମାଷ୍ଟର ପ୍ଲାନର । ଆଉ ଫୋକସରେ ରହିଛି ଓଡିଶା ସମେତ ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ । ଓଡିଶାରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଆୟୋଜନ କରି ୨୦୧୯ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ବୁଥ୍ ସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ମଙ୍ଗ ଧରିବେ ଖୋଦ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଫୁଲବାଣୀ, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ ଓ ଅନ୍ୟାନ୍ୟ ଜିଲ୍ଲା ଗସ୍ତ କରିବେ ଅମିତ ଶାହ । ବର୍ଷକୁ ଦୁଇଥର ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେଡିର ବିକଳ୍ପ ହେବାପାଇଁ କିଭଳି ଲୋକଙ୍କ ମନ ଜିଣିବେ ଦଳର କର୍ମୀ ଓ ନେତା ସେନେଇ ମନ୍ତ୍ର ଫୁଙ୍କିବେ । ଠିକ ଯେମିତି ଉତରପ୍ରଦେଶରେ ସପା-କଂଗ୍ରେସ ମେଂଟକୁ ଧୁଳି ଚଟାଇବା ପାଇଁ କରିଥିଲେ କାଉଁଟର ଷ୍ଟ୍ରାଟେଜୀ । ଆଉ ୟୁପି ଫଳାଫଳ ଆଂଚଳିକ ଦଳ ବିରୋଧରେ ଲଢିବା ପାଇଁ ବିଜେପିର ମନୋବଳ ବଢାଇଦେଇଛି ।

ନିର୍ବାଚନ ଜିତିବାର କଳା ନବୀନଙ୍କୁ ବେଶ ଜଣା । ସ୍ୱତନ୍ତ୍ର ରଣକୌଶଳ ପାଇଁ ୨୦୦୦ରୁ ସମସ୍ତ ନିର୍ବାଚନ ଜିତି ନିରଂକୁଶ ଶାସନ କ୍ଷମତା ଉପଭୋଗ କରିଆସୁଛନ୍ତି ନବୀନ ପଟ୍ଟନାୟକ । ଆଉ ଆଗାମୀ ୨୦୧୯ ନିର୍ବାଚନରେ ନବୀନଙ୍କୁ ଚେକ୍ ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଅମିତ ଶାହା । ତେଣୁ ଦେଖିବାର କଥା କାହା ରଣକୌଶଳ ଭୋଟରଙ୍କୁ ନିଜ ସପକ୍ଷରେ ନେବାରେ ସମର୍ଥ ହେଉଛି ।

Comments are closed.