ଜଗନ୍ନାଥଙ୍କ ନାଁ ନେଇ କର୍ମୀଙ୍କୁ ଉସକାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା! କହିଲେ, ରଥଯାତ୍ରା ପୂର୍ବରୁ ଘରେ ଘରେ ପହଞ୍ଚ

34

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗସ୍ତ ଉପରେ ଆଜି ଲାଗିରହିଥିଲା ସାରା ଓଡିଶାର ନଜର । କାରଣ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ନେତା ଓ କର୍ମୀଙ୍କୁ ୧୨୦ ପ୍ଲସ ସିଟର ଟାର୍ଗେଟ ଦେଇଥିଲେ ଶାହା । ଆଉ ଏହି ଲକ୍ଷ୍ୟ ପୂରଣ ପାଇଁ କର୍ମୀଙ୍କୁ କି ମନ୍ତ୍ର ଦେବେ ଶାହା ତାକୁ ନେଇ ଅନେକ ଆକଳନ ହେଉଥିଲା । ହେଲେ ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗରେ ନେତା ଓ କର୍ମୀଙ୍କୁ ଉସୁକାଇଛନ୍ତି ବିଜେପିର ଏହି ଟପ ଷ୍ଟ୍ରାଟେଜି ମେକର । ଜଗନ୍ନାଥଙ୍କୁ ନେଇ ନେତା ଓ କର୍ମୀଙ୍କୁ ଦେଇଛନ୍ତି ନୂଆ ରଣନୀତି । କହିଛନ୍ତି ରତ୍ନଭଣ୍ଡାର ଚାବିକୁ ଯେଉଁ ସରକାର ସୁରକ୍ଷା ଦେଇପାରିଲେନି, ସେହି ସରକାର ଓଡିଶାବାସୀଙ୍କୁ କି ସୁରକ୍ଷା ଦେବେ । ଏହି ବାର୍ତା ଓଡିଶାରେ ଘରେ ଘରେ ପହଂଚାଅ । ଅର୍ଥାତ ମୋଦି ସରକାରଙ୍କ ସଫଳତା ସହ ନୀବନ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଶାହା ଆହ୍ୱାନ ଦେଇଛନ୍ତି । ଆଉ ମାତ୍ର ୧୫ ଦିନର କଣ୍ଟ ଦେଇ ରଥଯାତ୍ରା ଭିତରେ ସମସ୍ତଙ୍କ ଘରେ ପହଞ୍ଚିବାକୁ ବିଜେପି କର୍ମୀଙ୍କୁ କହିଛନ୍ତି ।

ଓଡିଶା ନେତାଙ୍କୁ ୨୦୧୯ ନିର୍ବାଚନରେ ୧୨୦ ପ୍ଲସ ସିଟର ଟାର୍ଗେଟ ଦେବାପରେ ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଅମିତ ଶାହା ତୃତୀୟଥର ଲାଗି ଓଡିଶାରେ ପହଞ୍ଚିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏକ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସିଧା ପହଞ୍ଚିଥିଲେ ଦଳୀୟ କାର୍ଯ୍ୟାଳୟରେ । ଯେଉଁଠାରେ ପୁରୀ, କଟକ ଓ ଭୁବନେଶ୍ୱର ତିନି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ବିଜେପିର ଏହି ଟପ ଷ୍ଟ୍ରାଟେଜି ମେକରଙ୍କ କାର୍ଯ୍ୟକ୍ରମକୁ ୫ଟି ଭାଗରେ ବିଭକ୍ତ କରାଯାଇଥିଲା ।
– ପ୍ରଥମେ ୩ ଲୋକସଭା ଓ ଏହା ଅଧିନରେ ଥିବା ୨୧ ବିଧାନସଭା କ୍ଷେତ୍ରର ପ୍ରଭାରୀଙ୍କ ସହ ଆଲୋଚନା
– ଏହାପରେ ଦଳର ବିସ୍ତାରଙ୍କ ସହ ଚର୍ଚ୍ଚା ଓ ସଂଗଠନକୁ ମଜଭୁତ କରିବା ପାଇଁ ରଣନୀତି
– ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଶକ୍ତିକେନ୍ଦ୍ର ମୁଖ୍ୟ ଓ ଉପମୁଖ୍ୟଙ୍କ ସହ ଚର୍ଚ୍ଚା
– ନେତା ଓ କର୍ମୀଙ୍କ ସହ ସାମାଜିକ ଗଣମାଧ୍ୟମ ସମ୍ମିଳନୀ
– ଏବଂ ଶେଷରେ ଓଡିଶାର ଲୋକସଭା ଟୋଲି ସହ ବିଶେଷ ଆଲୋଚନା

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶାର ପ୍ରତି ଘରେଘରେ ପରିବର୍ତନର ମଞ୍ଜି ବୁଣିବାକୁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ । ରଥଯାତ୍ରା ପୂର୍ବରୁ ଅର୍ଥାତ ମାତ୍ର ୧୫ ଦିନ ଭିତରେ ଶକ୍ତିକେନ୍ଦ୍ର ଅଧ୍ୟକ୍ଷ, ବୁଥ କମିଟି ଅଧ୍ୟକ୍ଷ ଓ ଜିଲ୍ଲା ସଭାପତିମାନଙ୍କୁ ସଂପର୍କ ପାଇଁ ସମର୍ଥନ କାର୍ଯ୍ୟକ୍ରମରେ ପ୍ରତିଟି ଘରେ ପହଂଚି ମୋଦି ସରକାରଙ୍କ ଉପଲବ୍ଧିକୁ ପହଂଚାଇବାକୁ କଠିନ ଟାସ୍କ ଦେଇଛନ୍ତି ଅମିତ ଶାହା । ପଂଚାୟତ ନିର୍ବାଚନ ଫଳାଫଳରେ ଉତ୍ସାହିତ ବିଜେପି ନେତା ୧୨୦ ଆସନ ହାସଲର ଦମ୍ଭ ଦେଖାଇଥିବାବେଳେ ବିଜେପୁର ପରାଜୟ ପରେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ବୋଧହୁଏ ସେଥିପାଇଁ ଲକ୍ଷ୍ୟ ହାସଲ କରିବାକୁ ସଂଗଠନ ସଜାଡିବା ନିହାତି ଆବଶ୍ୟକ ବୋଲି ଅନୁଭବ କରିଛନ୍ତି । ତ୍ରିପୁରା, ଆସାମ ଓ ମଣିପୁରର ସଫଳତା ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନାରେ ଦୋହରାଇବାକୁ ଦେଇଛନ୍ତି ଆହ୍ୱାନ ।

କେନ୍ଦ୍ରରେ ବିଜେପି ସରକାରଙ୍କ ସଫଳତା ସହ ଓଡିଶାରେ ବିଜେଡି ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବା ଲାଗି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଗରିବଙ୍କ ଘରେ ଦୁଇ ଓଳି ଖାଇବା, ପ୍ରତ୍ୟେକ ଘରେ ବିଜୁଳି ଓ ପିଲାଙ୍କ ପାଇଁ ଶିକ୍ଷା ନିଶ୍ଚିତ ନହେବାଯାଏଁ କର୍ମୀମାନଙ୍କୁ ନଶୋଇବାକୁ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ବିଜେଡ଼ି କହିଛି ନିର୍ବାଚନ ପରେ ସବୁକିଛି ଜଣା ପଡ଼ିଯିବ । ଓଡ଼ିଶାର ସଚେତନ ଭୋଟର କାହାକୁ ଗାଦିଚ୍ୟୁତ କରିବେ କାହାକୁ ଗାଦିରେ ବସାଇବେ ତାହା ବେଶ ଭଲଭାବେ ଜାଣିଛନ୍ତି ।

ପ୍ରଥମଥର ଲାଗି ଶାହାଙ୍କ ଷ୍ଟ୍ରାଟେଜିରେ ଦୁଇଟି ନୂଆ ରଣନୀତି ସାମିଲ ହୋଇଛି । ଯେତେବେଳେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ସହ ଅଧିକରୁ ଅଧିକ ସଂପର୍କ ସ୍ଥାପନ ପାଇଁ କୁହାଯାଇଛି । ଏଥିସହ ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ନାଗାଲାଣ୍ଡ ପରେ ଓଡିଶାରେ ଲୋକସଭା ଟୋଲି ବୈଠକ କରିଛନ୍ତି ଅମିତ ଶାହା । ଏସବୁ ରଣନୀତି ମିଶନ ୧୨୦ ପ୍ଲସ ହାସଲରେ କେତେଦୂର ସମର୍ଥ ହେଉଛି ତା ଉପରେ ନଜର ରହିବ । ବିଶେଷ କରି ନେତା ଦେଇଥିବା ମନ୍ତ୍ର, କର୍ମୀମାନେ କିଭଳି କାର୍ଯ୍ୟକାରୀ କରିବେ ତାହା ଦେଖିବାର କଥା ।