ଆଜି ଓଡିଶା ଆସୁଛନ୍ତି ଅମିତ ଶାହା ! ରାଜ୍ୟ ବିଜେପି ନେତାଙ୍କ ସହ ହେବ ଋଦ୍ଧଦ୍ୱାର ବୈଠକ, ସେପଟେ ଶାହାଙ୍କ ସହ ଫେରିଲା ସିବିଆଇ ଚଡ଼କ, ବାବୁ-ନେତା ଛାନିଆ

29

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା । ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ଅଙ୍କ କଷିବେ । ମିଶନ ୧୨୦ର ନାରା ଦେଇଥିବା ଅମିତ ଶାହା ପୂର୍ବରୁ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦେଇଥିଲେ । ଏବେ ତାର ସମୀକ୍ଷା କରିବେ । ତେବେ ଅମିତ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମରେ କୌଣସି ସାଧାରଣ ସଭା ନାହିଁ । ବରଂ ସଂଗଠନ ଉପରେ ଫୋକସ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ରାଜ୍ୟ ଅଫିସରେ ଆଜି ଦୁଇଟି ବୈଠକ ହେବ ଓ ପ୍ରଦର୍ଶନୀ ପଡିଆରେ ପଂଚାୟତର ବଛା ବଛା ନେତାଙ୍କୁ ଭେଟିବେ ବିଜେପି ଜାତୀୟ ସଭାପତି ।

ସେପଟେ, ସରକାରୀ ବାବୁଙ୍କୁ ଟାର୍ଗେଟ କରି ଓଡ଼ିଶା ଫେରିଛି ସିବିଆଇର ଚିଟଫଣ୍ଡ ଠକେଇ ତଦନ୍ତ। ବହୁଚର୍ଚ୍ଚିତ ସି-ସୋର ମାମଲାରୁ ସିବିଆଇ ଅଧିକାରୀମାନେ ପୁଣି ଥରେ ତନାଘନା ଆରମ୍ଭ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ସି-ସୋର ସଂପର୍କର ଖୋଳତାଡ଼ କରିବାକୁ ସ୍ଥିର କରି ସିବିଆଇ ଓଡ଼ିଶା କ୍ୟା଼ଡରର ବରିଷ୍ଠ ଆଇଏଏସ୍ ଅଫିସର ତଥା କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁଗ୍ମ ସଚିବ ପରାଗ ଗୁପ୍ତାଙ୍କୁ ସମନ କରିଛି। ଆସନ୍ତା ୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ଲାଗି ତାଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ମଧ୍ୟ ସିବିଆଇ ସମନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଗତକାଲି ସିବିଆଇର ଏହି ନୋଟିସକୁ ରାଜ୍ୟ ସରକାର ସଂପୃକ୍ତ ଅଧିକାରୀମାନଙ୍କ ନିକଟକୁ ପଠାଇଛନ୍ତି। ଯେହେତୁ ଉଭୟ ଅଧିକାରୀ ଏବେ ନିଜ ପୂର୍ବ ସ୍ଥାନରେ ନାହାନ୍ତି, ଏଣୁ ସିବିଆଇର ଏହି ନୋଟିସ ବୁଲି ବୁଲି ସାଧାରଣ ପ୍ରଶାସନ ବିଭାଗ ନିକଟରେ ପହଞ୍ଚିଥିଲା। ମୂଳତଃ ଏହି ନୋଟିସ ପର୍ଯ୍ୟଟନ ବିଭାଗ ନିକଟକୁ ଯାଇଥିଲା। ଆଉ ଗତକାଲି ଏହି ଚିଠି ପହଞ୍ଚିବା ପରେ ସାଧାରଣ ପ୍ରଶାସନ ବିଭାଗ ତତ୍କାଳ ଏହା ଉପରେ ପଦକ୍ଷେପ ଗ୍ରହଣ କରିଥିଲେ। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ଦଳ ଭବିଷ୍ୟତ ରଣନୀତି ନିର୍ଧାରଣ କରିବେ। ୨୦୧୯ ନିର୍ବାଚନ ପାଇଁ ଦଳ କିଭଳି ନିଜକୁ ପ୍ରସ୍ତୁତ କରିବ ସେ ନେଇ ଦିନତମାମ କସରତ ଚାଲିବ। ଠିକ୍ ଏହି ସମୟରେ ଅର୍ଥାତ ଅମିତ ଶାହଙ୍କ ଓ଼ଡ଼ିଶା ଗସ୍ତ ସହିତ ସିବିଆଇ ତଦନ୍ତ ଫେରିବା ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ନିର୍ବାଚନ ପୂର୍ବରୁ ଅକଳରେ ପକାଇବା ଲାଗି ସିବିଆଇ ଆଉ ଥରେ ସରକାର ଉପରେ ସବାର ହେବା ଲାଗି ଖସଡ଼ା ପ୍ରସ୍ତୁତ କରୁଥିବା କୁହାଯାଇଛି। ଏଥର ଅଳ୍ପ କିଛି ରାଜନୈତିକ ନେତାଙ୍କ ସହିତ ସିବିଆଇ ମୁଖ୍ୟତଃ ଅଫିସରମାନଙ୍କୁ ଘାଣ୍ଟିବ ବୋଲି ଯୋଜନା କରିଛି।

ମିଳିଥିବା ସୂଚନା ଅନୁସାରେ, ଆଇଏଏସ୍ ଅଫିସର ଶ୍ରୀ ଗୁପ୍ତା ଓ ଶ୍ରୀ ରାୟଙ୍କୁ ସିବିଆଇ ପର୍ଯ୍ୟଟନ ବିଭାଗ ସହିତ ସି-ସୋର ସଂପର୍କ ନେଇ ପଚରାଉଚରା କରିବା ଲାଗି ଡାକୁଥିବା କୁହାଯାଉଛି। ଶ୍ରୀ ଗୁପ୍ତା ପର୍ୟ୍ୟଟନ ସଚିବ ଥିବାବେଳେ ସିସୋର- ପର୍ଯ୍ୟଟନ ବିଭାଗ ମଧ୍ୟରେ ନିବିଡ଼ତା ବଢ଼ିଥିଲା ଓ କଂପାନି ଦୁଇ ଦୁଇଟି ପ୍ରକଳ୍ପ କ୍ଷେତ୍ରରେ ବୁଝାମଣା ସ୍ୱାକ୍ଷର କରିଥିଲା। ମହାନଦୀରେ ବୋଟ୍ ପ୍ରକଳ୍ପ ଓ ଖୋର୍ଧା ଅଟ୍ରିରେ ଥିବା ସରକାରୀ ଗେଷ୍ଟ ହାଉସ୍ ପରିଚାଳନା ଦାୟିତ୍ୱ ନେଇଥିଲା ସିସୋର ସଂସ୍ଥା। ଏବେ ସିବିଆଇ ଜାଣିବାକୁ ଚାହୁଁଛି ଯେ ସଂପୃକ୍ତ ସହିତ ବୁଝାମଣା ସ୍ୱାକ୍ଷର କରିବା ପୂର୍ବରୁ ସିସୋର ସଂପର୍କରେ ସରକାର ଖୋଳତା଼ଡ଼ କରିଥିଲେ ନା ନାହିଁ। ଏହି ସଂପର୍କ ଭିତରେ ଅପରାଧିକ ଷ଼଼ଡ଼ଯନ୍ତ୍ରର ଖିଅ ଖୋଜୁଛନ୍ତି ସିବିଆଇ ଅଧିକାରୀ। ସେହିଭଳି ଶ୍ରୀ ରାୟ ସେ ସମୟରେ ପର୍ଯ୍ୟଟନ ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା କାରଣରୁ ତାଙ୍କୁ ସମନ ହୋଇଥିବା ସୂଚନା ମିଳିଛି।