ଭୁବନେଶ୍ୱରରେ ପହଂଚିଲେ ଅମିତ ଶାହା । ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ତିନି ଦିନିଆ ଜାତୀୟ କାର୍ଯ୍ୟକାରିଣୀକୁ କରିବେ ଉଦଘାଟନ । ମହିଳା ଭୋଟରଙ୍କୁ ହାତେଇବା ପାଇଁ ଶାହା ଦେବେ ମନ୍ତ୍ର

35

କନକ ବ୍ୟୁରୋ: ଓଡ଼ିଶାରେ ଅମିତ୍ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ଶାହାଙ୍କୁ ବିପୁଳ ସ୍ୱାଗତ ସମ୍ବୋନ୍ଧନା ଜଣାଇଛନ୍ତି ବିଜେପି ନେତା ଓ ସମର୍ଥକ । ବିମାନ ବନ୍ଦରରୁ ସିଧା ପୁରୀ ଯାଇ ସେ ବିଜେପି ମହିଳା ମୋର୍ଚା ଜାତୀୟ କାର୍ଯ୍ୟକାରଣୀର ଉଦ୍ଘାଟନ କରିବେ ।

ଭୁବନେଶ୍ୱରରୁ ପୁରୀ ରାସ୍ତାର ବିଭିନ୍ନ ସ୍ଥାନରେ ଅମିତ ଶାହାଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ପହଂଚିବା ପରେ ହୋଟେଲ ଗୋଲଡେନ ପ୍ୟାଲେସରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ଉଦଘାଟନ କରିବେ ସାହା । କାର୍ଯ୍ୟକାରିଣୀ ବୈଠକରେ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେଭି ସିଂହ ଦେଓଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହେବେ ।

ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହଟକର ଓ ସାରା ଦେଶର ୩ଶହରୁ ଅଧିକ ବିଜେପି ନେତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଗସ୍ତ ପୂର୍ବରୁ ଟ୍ୱିଟ୍ କରି ଅମିତ ଶାହା ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି । ଲେଖିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡିଶାବାସୀଙ୍କୁ ବଂଚିତ କରିବା ଦୁର୍ଭାଗ୍ୟପୂର୍ଣ୍ଣ । ରାଜନୈତିକ ସ୍ୱାର୍ଥ କିମ୍ବା ବିଦ୍ୱେଷରୁ ମୁଖ୍ୟମନ୍ତ୍ରୀ ଏପରି କରିଥିବା ଶାହା ଟ୍ୱିଟ୍ କରିଛନ୍ତି ।