ଅମିତ ଶାହାଙ୍କ ଟାର୍ଗେଟରେ ଅଫିସର ! କହିଲେ ରାଜ୍ୟ ସରକାରଙ୍କ ଚାଟୁକାର ସାଜିଛନ୍ତି ଆଇଏଏସ୍ ଓ ଆଇପିଏସ୍ ଅଫିସର ।

34

କନକ ବ୍ୟୁରୋ : ମୋଦିଙ୍କ ଗସ୍ତର ଦିନକ ପରେ ଓଡ଼ିଶା ଆସିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଶ୍ଚର୍ଯ୍ୟଜନକ ଭାବେ ନେତାଙ୍କ ସହ ଅଫିସରଙ୍କୁ ବି ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀରେ ଯୋଗ ଦେଇ ଅଫିସରଙ୍କୁ କଡ଼ା ଭାଷାରେ ସତର୍କ କରାଇ ଦେଇଛନ୍ତି ଶାହା । ଓଡିଶାରେ ଅଫିସରମାନେ ସରକାର ଚଳାଉଥିବା ଅଭିଯୋଗ କରିଛନ୍ତି ଅମିତ ଶାହା । ଯାହାକୁ ଖଣ୍ଡନ କରିଛି ବିଜେଡି ।

ଦଳୀୟ କାର୍ଯ୍ୟକ୍ରମରେ ପ୍ରତିପକ୍ଷଙ୍କୁ ଟାର୍ଗେଟ୍ । ନେତାଙ୍କ ପରେ ଅଫିସରଙ୍କୁ ଚେତାବନୀ । ଶନିବାର ଓଡିଶା ଆସି ବିଜେଡି ଓ ଏହାର ନେତାଙ୍କୁ ଜୋରଦାର ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସୋମବାର ଆଶ୍ଚର୍ଯ୍ୟଜନକ ଭାବେ ନେତାଙ୍କ ସହ ଅଫିସରଙ୍କୁ ବି ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପୁରୀରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି, ଓଡିଶାରେ ଅଫିସରମାନେ ସରକାର ଚଳାଉଥିବା ଅଭିଯୋଗ କରିଛନ୍ତି ଅମିତ ଶାହା । ଏପିରିକି ଚାଟୁକାରିତାରୁ ବାହାରକୁ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି । ନହେଲେ ୨୦୧୯ରେ କ୍ଷମତାରେ ପଟ୍ଟ ପରିବର୍ତନ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାଇ ଦେଇଛନ୍ତି ।

ନବୀନ ସରକାରଙ୍କ ୧୮ ବର୍ଷ ଶାସନରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରି ଆସିଛନ୍ତି ବିରୋଧୀ । ଦଳୀୟ ବ୍ୟାପାରରେ ଅମଲାଙ୍କ ହସ୍ତକ୍ଷେପ ନେଇ ସମାଲୋଚନା ଭିତରେ, ରାଜ୍ୟ ବିଜେପି ନେତୃତ୍ୱଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ରାଷ୍ଟ୍ରୀୟ ସଭାପତି । ୨୦୧୯ରେ କଡା ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ମୁକାବିଲା ପାଇଁ ନିଜ ଦଳର କର୍ମୀଙ୍କୁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛନ୍ତି ।

୨୦୧୯ରେ ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରିବାର ଲକ୍ଷ୍ୟ ନେଇ କାମ କରୁଥିବା ବିଜେପି କେଉଁ ପ୍ରସଙ୍ଗରେ ବିଜେଡି ସହ ପ୍ରତିଦ୍ୱନ୍ଦିତା କରିବ ? ଉତ୍ତର ଅତି ସ୍ପଷ୍ଟ ଯେ, କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଓ ରାଜ୍ୟରେ ନବୀନ ସରକାରଙ୍କ ବିଫଳତା । ଯେଉଁଥିପାଇଁ ପୁଣି ଆୟୁଷ୍ମାନ ଭାରତ, ଚାଷୀଙ୍କ ଆୟ ବୃଦ୍ଧି, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦରମା ଓ ଭତା ବୃଦ୍ଧି ଭଳି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମିଶନ ୧୨୦ ପ୍ଲସକୁ ମାତୃଶକ୍ତି ଭରସା । ଦଳର ମହିଳା ମୋର୍ଚ୍ଚାକୁ ସମ୍ବୋଧିତ କରି ଅମିତ ଶାହା ଆହ୍ୱାନ ଦେଇଛନ୍ତି ଯେ, ମାତୃଶକ୍ତି ସଂକଳ୍ପ କଲେ ୨୦୧୯ରେ ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଆସିବାରେ କେହି ରୋକି ପାରିବେନି ।