ଅମିତ ଶାହାଙ୍କ ଓଡ଼ିଶା ପ୍ଲାନ୍ ! ଓଡିଶାରେ ପହଂଚିଲେ ବିଜେପି ସଭାପତି, ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା

23

କନକ ବ୍ୟୁରୋ: ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜଧାନୀସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଅବତରଣ କରିବା ପରେ ସେଠାରୁ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶ୍ରୀ ଶାହା ବିମାନରୁ ଅବତରଣ କରିବା ପରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ଅନ୍ୟାନ୍ୟ ବହୁ ବିଜେପି ନେତା ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିଥିଲେ।

ରୁଦ୍ଧଦ୍ୱାର ବୈଠକରେ ଶାହା କରିବେ ଦଳର ସମୀକ୍ଷା । ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ପାଇଁ ଅଙ୍କ କଷିବେ । ମିଶନ ୧୨୦ର ନାରା ଦେଇଥିବା ଅମିତ ଶାହା ପୂର୍ବରୁ ନେତା ଓ କର୍ମୀଙ୍କୁ ଦାୟିତ୍ୱ ଦେଇଥିଲେ । ଏବେ ତାର ସମୀକ୍ଷା କରିବେ । ତେବେ ଅମିତ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମରେ କୌଣସି ସାଧାରଣ ସଭା ନାହିଁ । ବରଂ ସଂଗଠନ ଉପରେ ଫୋକସ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ରାଜ୍ୟ ଅଫିସରେ ଆଜି ଦୁଇଟି ବୈଠକ ହେବ ଓ ପ୍ରଦର୍ଶନୀ ପଡିଆରେ ପଂଚାୟତର ବଛା ବଛା ନେତାଙ୍କୁ ଭେଟିବେ ବିଜେପି ଜାତୀୟ ସଭାପତି । ୧୨୦ ପ୍ଲସ୍ ମିଶନର ଡାକରା ଦେଇଥିବା ବିଜେପିର ଏହି ଷ୍ଟ୍ରାଟେଜି ମେକର ପୂର୍ବରୁ ଏହାକୁ ସଫଳ କରିବା ପାଇଁ ଗୁରୁ ମନ୍ତ୍ର ମଧ୍ୟ ଦେଇଥିଲେ । ତେଣୁ ଦେଇଥିବା ଦାୟିତ୍ୱର ସମୀକ୍ଷା କରିବା ସହ ରାଜ୍ୟ ବିଜେପି ନେତାଙ୍କ ମୂଲ୍ୟାଙ୍କନ ମଧ୍ୟ କରିବେ । ଶାହା ଦେଇଥିବା ହୋମୱାର୍କରେ କିଏ ରଖିବ କେତେ ନମ୍ବର ତାକୁ ନେଇ ଆଶା, ଆଶଙ୍କାରେ ନେତା ।

ଅମିତଙ୍କ ଚଳିତ ଗସ୍ତରେ ଫୋକସ ରହିବ ତିନି ମୁଖ୍ୟ ସଂସଦୀୟ କ୍ଷେତ୍ର ପୁରୀ, କଟକ ଓ ଭୁବନେଶ୍ୱର । ପଂଚାୟତ ଠାରୁ ଆରମ୍ଭ କରି ସଂଗଠନ ସମ୍ଭାଳିଥିବା ନେତାଙ୍କ ସହ କରିବେ ରୁଦ୍ଧଦ୍ୱାର ଆଲୋଚନା । ଏହା ସହିତ ୧୨୦ପ୍ଲସ ମିଶନର ସଫଳତା ପାଇଁ କିଛି ନୂଆ ରଣନୀତି ମଧ୍ୟ ସ୍ଥିର କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।