ଅମିତ ଶାହାଙ୍କ ଭବିଷ୍ୟବାଣୀ ! ୨୦୧୯ରେ ପୁଣି ମୋଦିଙ୍କ ନେତୃତ୍ୱରେ ବିଜେପି ଗଢିବ ସରକାର ! ୨୦୨୨ରେ ସତ ହେବ ମୋଦିଙ୍କ ‘ନୂତନ ଭାରତ ’ ସ୍ୱପ୍ନ

83

ସୋମବାର ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଛନ୍ତି ଭବିଷ୍ୟବାଣୀ । ୨୦୧୯ରେ ପୁଣି ମୋଦି ଧରିବେ ଦେଶର ମଙ୍ଗ । ତାଙ୍କ ନେତୃତ୍ୱରେ ସରକାର ଗଢିବ ବିଜେପି । ଗୁଜୁରାଟ ନିର୍ବାଚନରେ ବିପୁଳ ସଫଳତା ପରେ ଏହି କଥା କହିଛନ୍ତି ଅମିତ୍ ଶାହା । ସେ କହିଛନ୍ତି ବର୍ତ୍ତମାନ ବିଜେପି ୧୪ ଟି ରାଜ୍ୟରେ କ୍ଷମତାରେ ରହିଛି । ସେହିପରି ଏନଡିଏ ନେତୃତ୍ୱରେ ୫ଟି ଶାସନ କରୁଛି ବିଜେପି। ସମୁଦାୟ ୧୯ଟି ରାଜ୍ୟରେ ବିଜେପିର ପ୍ରଭାବ ରହିଛି। ତ୍ରିପୁରା, ମେଘାଳୟ, ମିଜୋରାମ ଓ କର୍ଣ୍ଣାଟକରେ ମଧ୍ୟ ପଦ୍ମ ଫୁଲ ଫୁଟିବ ବୋଲି ଶାହା କହିଛନ୍ତି। ୨୦୨୨ରେ ମୋଦିଙ୍କ ‘ନୂତନ ଭାରତ’ ସ୍ୱପ୍ନ ସତ ହେବ। ଆଗାମୀ ୪ ବର୍ଷ ପାଇଁ ବିଜେପିର ବିଜୟ ଜାରି ରହିବ ବୋଲି ଶାହା କହିଛନ୍ତି।

ଗୁଜରାଟ ନିର୍ବାଚନ ଫଳାଫଳ ନେଇ ଅମିତ ଶାହା କହିଛନ୍ତି, ୨୦୧୨ ତୁଳନାରେ ବିଜେପିକୁ ଶତପ୍ରତିଶତ ଭୋଟ ମିଳିଥିବାରୁ ଜନତାଙ୍କୁ ଧନ୍ୟବାଦ। ଜନତା ବିଜେପି ଉପରେ ଭରସା ରଖିଛନ୍ତି। କଂଗ୍ରେସର ବଡ଼ ବଡ଼ ନେତା ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ୧୯୯୦ ପରେ ଭାରତୀୟ ଜନତା ପାର୍ଟି କେବେ ହାରି ନାହିଁ। ମୋଦି ସରକାର ଚାଷୀ, ଗରିବ, ଦଳିତ, ପଛୁଆ ବର୍ଗ, ମହିଳାଙ୍କ ବିକାଶ ପାଇଁ କାମ କରୁଛନ୍ତି। ନିର୍ବାଚନ ପ୍ରଚାର ବେଳେ କିଛି ଲୋକ ହସ୍ତକ୍ଷେପ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ି ନାହିଁ। ସୁରତ ଓ ମେହସେଣାରେ ଆମ ବିଜୟୀ ହୋଇଛୁ। ଜିଏସ୍ଟିକୁ ନେଇ ହୋଇଥିବା ଅପପ୍ରଚାରର କୌଣସି ପ୍ରଭାବ ନିର୍ବାଚନରେ ପଡ଼ି ନାହିଁ। ହିମାଚଳ ନିର୍ବାଚନ ଉପରେ ଶାହା କହିଛନ୍ତି ୨୦୧୨ ତୁଳନାରେ ୧୦ ପ୍ରତଶତ ଅଧିକ ଭୋଟ ବିଜେପିକୁ ମିଳିଛି।