ଏମ୍ସରୁ ଡିସଚାର୍ଜ ହେଲେ ଅମିତ ଶାହା । ସ୍ୱାଇନ ଫ୍ଲୁର ଚିକିତ୍ସା ପରେ ସୁସ୍ଥ ହୋଇଥିବା ବିଜେପି ମିଡିଆ ମୁଖ୍ୟଙ୍କ ସୂଚନା

ଏମ୍ସରୁ ଫେରିଲେ ଅମିତ ଶାହା

77

କନକ ବ୍ୟୁରୋ : ଏମ୍ସରୁ ଫେରିଲେ ଅମିତ ଶାହା । ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ଶାହା ଆଜି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । ଗତ ବୁଧବାର ଦିନ ସ୍ୱାଇନ୍ ଫ୍ଲୁର ଚିକିତ୍ସା ପାଇଁ ଅମିତ ଶାହାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ନିଜେ ଅମିତ ଶାହା ସ୍ୱାଇନ ଫ୍ଲୁରେ ପୀଡ଼ିତ ଥିବା ଟ୍ୱିଟ୍ କରି ସୂଚନା ଦେଇଥିଲେ । ତେବେ ଚିକିତ୍ସା ପରେ ଆଜି ସୁସ୍ଥ ହୋଇ ଫେରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବର୍ତମାନ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

 

ଏନେଇ ଦଳର ମିଡ଼ିଆ ମୁଖ୍ୟ ତଥା ରାଜ୍ୟସଭା ସଦସ୍ୟ ଅନୀଲ ବାଲୁନି ଟ୍ୱିଟ୍ କରି ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିପାଇଁ ଅନୀଲ ସମସ୍ତ ଶୁଭଚିନ୍ତକ ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଶାହାଙ୍କୁ ସ୍ୱାଇନ୍ ଫ୍ଲୁ ହେବା ପରେ କଂଗ୍ରେସ ନେତା ବିକେ ହରିପ୍ରସାଦ ତାଙ୍କ ଉପରେ କର୍ଣ୍ଣାଟକବାସୀଙ୍କ ଅଭିଶାପ ପଡ଼ିଥିବା କହିଥିଲେ ଓ ଏହା ଚର୍ଚ୍ଚା ସୃଷ୍ଟି କରିଥିଲା । କେବଳ ଏତିକି ନୁହେଁ ତାଙ୍କର କୌଣସି ଫ୍ଲୁ ହୋଇନାହିଁ ବୋଲି ତାଙ୍କୁ ସୂଚନା ମିଳିଥିବା ନେଇ କହିଥିଲେ । ଏହାସହ କର୍ଣ୍ଣାଟକରେ ସରକାର ଭାଙ୍ଗିବା ପାଇଁ ଚେଷ୍ଟା କଲେ ତାଙ୍କୁ ଆହୁରି ଅଧିକ ରୋଗ ହେବ ବୋଲି କହିଥିଲେ ବି.କେ ହରିପ୍ରସାଦ ।