ଅମିତ ଶାହାଙ୍କ ଦମ୍ଭୋକ୍ତି! ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୂଳପୋଛ କରିବ ବିଜେପି ।

45

କର୍ଣ୍ଣାଟକରେ ବିଜେପିକୁ ଚିତପଟାଙ୍ଗ କରିଥିବା କଂଗ୍ରେସକୁ ପୁଣି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦୁଇଦିନିଆ ଛତିଶଗଡ ଗସ୍ତରେ ଯାଇ ଏକ ଜନସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଶାହା । ଛତିଶଗଡର ଅମ୍ବିକାପୁର ଠାରେ ଆୟୋଜିତ ଏହି ସଭାରେ ଶାହା କହିଛନ୍ତି ଯେ, ଛତିଶଗଡରେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିକୁ ୯୦ଟି ଆସନ ମଧ୍ୟରୁ ୬୫ଟି ଆସନ ମିଳିବ । ଛତିଶଗଡ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ଯାତ୍ରାରେ ପ୍ରଶଂସା କରି ଲୋକମାନଙ୍କ ସମର୍ଥନରୁ ଏହା ସମ୍ଭବ ହେବ ବୋଲି ଶାହା କହିଛନ୍ତି ।

କେବଳ ଏତିକି ନୁହେଁ ଏହି ସାର୍ବଜନିକ ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି । ଛତିଶଗଡରେ ହେବାକୁଥିବା ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୂଳପୋଛ ବିଜେପି କରିବ ବୋଲି ଶାହା ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଦ୍ୱାରା ଚାଲିଥିବା ବିକାଶ ଯାତ୍ରାରେ ଶାହା କେନ୍ଦ୍ର ସରକାରଙ୍କ ସଫଳତାକୁ ବଖାଣି ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଠାରୁ ଆରମ୍ଭ କରି ବିମୁଦ୍ରୀକରଣ ଭଳି ବୃହତ ପଦକ୍ଷେପର ଗୁଣଗାରିମା ଲୋକଙ୍କ ସମ୍ମୁଖରେ ବଖାଣିଛନ୍ତି ଶାହା ।

କିନ୍ତୁ ଅନ୍ୟପଟେ ଶାହାଙ୍କ ଏହି ଭବିଷ୍ୟବାଣୀକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ନିଜର ମତ ପ୍ରକାଶ କରିଛନ୍ତି । ବିଗତ ୪ ବର୍ଷ ମଧ୍ୟରେ ୨୭ଟି ଉପ-ନିର୍ବାଚନରୁ ମାତ୍ର ୫ଟି ସିଟ୍ ହାତେଇଥିବା ବିଜେପି ଏବେ ଛତିଶଗଡରେ ସଫଳ ହେବା କାଠିକର ପାଠ । ଏହାର କାରଣ ହେଉଛି ନିକଟରେ କର୍ଣ୍ଣାଟକ ନିର୍ବାଚନରେ ବିରୋଧୀଙ୍କ ମେଣ୍ଟ ବାଣରେ ଘାଇଲା ହୋଇଛି ବିଜେପି । ଏବଂ ନିଜ ଘା’ ଉପରେ ଏବେ ମଲମ ମାରିବା ପାଇଁ ସାଥୀ ଦଳଟିଏ ଖୋଜୁଥିବା ସ୍ପଷ୍ଟ ବାରି ହୋଇପଡିଛି । କିନ୍ତୁ ଅନେକ ସମୟରେ ବିଜେପି ଦଳୀୟ ନେତା ହୁଅନ୍ତୁ କି କର୍ମୀ ସମସ୍ତଙ୍କ ମନରେ ମୋଦି-ଶାହାଙ୍କ ଯୋଡି ପୁଣି କମାଲ କରିବ ବୋଲି ଆସ୍ଥା ପ୍ରକଟ କରିଛନ୍ତି ।