ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ : ଏନଡିଏରୁ ଆସୁଛି ଫୋନ,ୟୁପିଏରୁ ବି ଆସୁଛି ଫୋନ । କାହାକୁ ସମର୍ଥନ କରିବେ ନବୀନ

36

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଜୋର ଧରୁଛି ରାଜନୀତି । ଏହି ନିର୍ବାଚନରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗେମଚେଞ୍ଜର ଭାବେ ଉଭା ହୋଇଛନ୍ତି ନବୀନ । ଆଉ ଏସବୁ ଭିତରେ ନବୀନଙ୍କୁ ନିଜ ସପକ୍ଷରେ ନେବାକୁ ଉଭୟ ଏନଡିଏ ଓ ୟୁପିଏ ଅଙ୍କ କଷିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ କଥା ହୋଇଛନ୍ତି । କେବଳ ଅମିତ ଶାହା ନୁହେଁ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ।

naveenଚଳିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ । ତେଣୁ ଜେଡିୟୁ ମୁଖିଆ ନୀତିଶ କୁମାର ମଧ୍ୟ ନବୀନଙ୍କୁ ଫୋନ କରି ସମର୍ଥନ ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ବିଜେଡି ପି.ଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ଜେଡିୟୁର ସମର୍ଥନ ଲୋଡିଥିଲା । ଏପରିକି ସେ ସମୟରେ ଜେଡିୟୁ ମଧ୍ୟ ପି.ଏ ସାଙ୍ଗମାଙ୍କୁ ସମର୍ଥନ କରି ବିଜେଡିର ଅନୁରୋଧ ରକ୍ଷା କରିଥିଲା ।

କେବଳ ଏନଡିଏ ପକ୍ଷରୁ ଫୋନ ଆସୁଛି ତାହା ନୁହେଁ ୟୁପିଏ କ୍ୟାମ୍ପରୁ ମଧ୍ୟ ନବୀନଙ୍କ ନିକଟକୁ ଫୋନ ଆସିବା ଆରମ୍ଭ ହୋଇଛି । ୟୁପିଏରୁ ଏନସିପି ସାଂସଦ ବନ୍ଦନା ଚଭାନଙ୍କୁ ପ୍ରାର୍ଥୀ କରାଯାଇଛି । ଆଉ ବନ୍ଦନାଙ୍କୁ ସମର୍ଥନ କରିବାକୁ ଏନସିପି ମୁଖିଆ ଶରଦ ଯାଦବ ମଧ୍ୟ ନବୀନଙ୍କ ନିକଟକୁ ଫୋନ କରିଥିବା ଜଣା ପଡିଛି । ତେବେ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱରେ ରହୁଥିବା ବିଜେଡି ପାଇଁ ଏହି ରାଜ୍ୟସଭା ଉପାଧ୍ୟକ୍ଷ ନିବାର୍ଚନ ଏସିଡ ଟେଷ୍ଟ ହେବାକୁ ଯାଉଛି । ଆଉ ପ୍ରଶ୍ନ ଉଠୁଛି, ଏବେ କାହାର ହେବେ ନବୀନ । କେଉଁ ପ୍ରାର୍ଥୀଙ୍କୁ କରିବେ ସମର୍ଥନ? ୟୁପିଏ ନା ଏନଡିଏ । ଏଭଳି ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରୁଥିଲେ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ନବୀନ । ତେବେ ଆସନ୍ତା କାଲି ରାଜ୍ୟସଭା ଉପାଧ୍ୟକ୍ଷକୁ ନେଇ ନିଜର କାର୍ଡ ନବୀନ ଖୋଲିବେ ବୋଲି ସୂଚନା ମିଳିଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରାର୍ଥୀ ପ୍ରସଙ୍ଗରେ ତିନୋଟି ଦଳ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବିଜେଡି ଏହି ରେସରେ ପ୍ରମୂଖ ଭୁମିକା ନିର୍ବାହ କରିବେ ବୋଲି ସ୍ପଷ୍ଟ ଜଣାପଡୁଛି । କାରଣ ୨୪୫ ଆସନରୁ ୧୨୨ ଆସନ ବିଜୟ ପାଇଁ ଆବଶ୍ୟକ ହେଉଥିବାବେଳେ, ବିଜେପି ଏବଂ ବିରୋଧୀଙ୍କୁ ଦରକାର ହେଉଛି ସେହି ମ୍ୟାଜିକ ନମ୍ବର ୧୨୨ । ତେବେ ବର୍ତ୍ତମାନ ବିଜେପି ପାଖରେ ୮୭ଟି ରାଜ୍ୟସଭା ସଂଖ୍ୟା ଗରିଷ୍ଠତା ଥିବା ବେଳେ କଂଗ୍ରେସ ପାଖରେ ରହିଛି ୫୮ଟି ରାଜ୍ୟସଭା ଆସନ । ବର୍ତ୍ତମାନ ବିଜେପିକୁ ରୋକିବାକୁ ହେଲେ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡିବ ବୋଲି ଆକଳନ କହୁଛି ।