ଅନ୍ୟର ଜୀବନ ବଞ୍ଚାଇବାକୁ ବାଜିରେ ଲଗାଇ ଦେଲେ ନିଜ ଜୀବନ । ନିଆଁରେ ଫସି ଆଖି ବୁଜିଲେ ବର୍ଷେ ତଳେ ଚାକିରିରେ ଯୋଗ ଦେଇଥିବା ଅଗ୍ନିଶମ କର୍ମଚାରୀ

1,023

କନକ ବ୍ୟୁରୋ: ଚାକିରି ବେଳେ ଚାଲିଗଲା ଜୀବନ । କର୍ତ୍ତବ୍ୟ କଲାବେଳେ ଆଖି ବୁଜିଲେ ଅଗ୍ନିଶମ କର୍ମଚାରୀ । ବର୍ଷକ ତଳେ ନୂଆ ଚାକିରି ଜୀବନ ଆରମ୍ଭ କରିଥିବା ଅମିତ ବର୍ଷକ ପରେ ଚାକିରି ବେଳେ ହିଁ ଆଖି ବୁଜିଛନ୍ତି । ଏଭଳି ଆଖିଭିଜା ଖବର ଆସିଛି ରାଜଧାନୀ ଦିଲ୍ଲୀରୁ ।

ସକାଳେ ଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ବ୍ୟାଟେରୀ ଗୋଦାମରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କିଛି ସମୟ ପରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଗୋଦାମ ଭିତରେ ଥିବା ଏକ କୋଠା ଭାଙ୍ଗି ପଡ଼ିଥିଲା।

ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ତିନି ଜଣଙ୍କ ସମେତ ଜଣେ ସ୍ଥାନୀୟବାସିନ୍ଦା ଭାଙ୍ଗି ଥିବା କୋଠା ଭିତରେ ଫସି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ଦମକଳ କର୍ମଚାରୀ ସଙ୍ଗେସଙ୍ଗେ ଫସିଥିବା ତିନିଜଣ ଅଗ୍ନିଶମ କର୍ମଚାରୀ ସମେତ ସ୍ଥାନୀୟବାସିନ୍ଦାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ହସପିଟାଲ୍ ନେବା ବାଟରେ ଜଣେ ଅଗ୍ନିଶମ କର୍ମଚାରୀ ଅମିତ ବାଲ୍ୟାନଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଦିଲ୍ଲୀର ଅତିରିକ୍ତ ଡିସିପି ରାଜେନ୍ଦ୍ର ସିଂହ ସାଗରଙ୍କ କହିବାନୁସାରେ, କିଛି ଘଣ୍ଟାର ଅପରେସନ୍ ପରେ ଭୁଷୁଡି ପଡ଼ିଥିବା କୋଠା ତଳେ ଦବି ରହିଥିବା ଅଗ୍ନିଶମ କର୍ମଚାରୀ ଅମିତ ବାଲ୍ୟାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ହସପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଅମିତଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ ସେ ଚାକିରିରେ ଯୋଗ ଦେଇଥିଲେ। ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଆଜି ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

ଚାରିତାଲା ବିଶିଷ୍ଟ କୋଠାରେ ଲାଗିଥିବା ନିଆଁ ଲିଭାଇବାକୁ ୩୫ଟି ଦମକଳକୁ ସେଠାରେ ନିୟୋଜିତ କରାଯାଇଥିଲା। ଏଥିରେ ୧୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ।