ମହାତ୍ମାଗାନ୍ଧୀ ହତ୍ୟାର ଚତୁର୍ଥ ଗୁଳି ଥିଓରୀ ମିଛ ! ତିନିଟି ଗୁଳିରେ ଯାଇଥିଲା ଗାନ୍ଧିଙ୍କ ଜୀବନ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଓକିଲ ଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

123

କନକ ବ୍ୟୁରୋ : ଗାନ୍ଧିଜୀଙ୍କ ହତ୍ୟା ପଛରେ ଥିବା ଫୋର୍ଥ ବୁଲେଟ୍ ଥିଓରୀ ଉପରେ ଲାଗିଛି ପୂର୍ଣ୍ଣଚ୍ଛେଦ । ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ଆଉ କେହି ନୁହନ୍ତି, କେବଳ ନାଥୁରାମ ଗଡସେ ହିଁ ତାଙ୍କୁ ହତ୍ୟା କରିଥିଲେ । ଏପରି ତଥ୍ୟ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ କ୍ୟୁରି ବିଶିଷ୍ଟ ଆଇନଜୀବୀ ଅମରେନ୍ଦ୍ର ସରଣ । ଗାନ୍ଧିଜୀଙ୍କୁ ମୃତ୍ୟୁ ପଛରେ ଅନ୍ୟଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ହାତ ଥିବା ନେଇ ମୁମ୍ବାଇର ପଙ୍କଜ ଫଡନାଭିସ୍ ଅଭିଯୋଗ କରିବା ପରେ ସାରା ଦେଶ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତାଙ୍କର ଜନସ୍ୱାର୍ଥ ମାମଲା ଆଧାରରେ ଦେଶର ସର୍ବୋଚ୍ଚ କୋର୍ଟ ଅଧିକ ଅନୁଧ୍ୟାନ କରିବାକୁ ଆମିକସ୍ କ୍ୟୁରି ନିଯୁକ୍ତ କରିଥିଲେ । ତେବେ ଆଇନଜୀବୀ ଅମରେନ୍ଦ୍ର ସରଣଙ୍କ ରିପୋର୍ଟ ପରେ ନାଥୁରାମ ହିଁ ଗାନ୍ଧିଜୀଙ୍କ ହତ୍ୟାକାରୀ ତାହା ସ୍ପଷ୍ଟ ହୋଇଛି ।

thଜାନୁୟାରୀ ୩୦, ୧୯୪୮ । ସର୍ବଧର୍ମ ପ୍ରାର୍ଥନା ସଭାକୁ ଯାଉଥିବା ବେଳେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ପଏଂଟ ବ୍ଲାଙ୍କରୁ ଗୁଳି କରିଥିଲେ ନାଥୁରାମ ଗଡସେ । ସେହିଠାରେ ଟଳି ପଡିଥିଲେ ମହାତ୍ମ । ସାରା ବିଶ୍ୱ ସ୍ତବ୍ଧ ହୋଇଥିଲା, ଆଉ ଜାତିର ପିତାଙ୍କୁ ହରାଇ ଦେଶରେ ଖେଳି ଯାଇଥିଲା ଶୋକର ଛାୟା । ଗାନ୍ଧିଙ୍କୁ ବାଜିଥିଲା କେତୋଟି ଗୁଳି? ତାକୁ ନେଇ ସସପେନ୍ସ ପୁଣି ସୃଷ୍ଟି ହେଲା, ଯେତେବେଳେ ମହାତ୍ମାଙ୍କ ହତ୍ୟାର ୭୦ ବର୍ଷ ପରେ ଏହାର ପୁନଃ ଯାଂଚ କରବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମୁମ୍ବାଇର ପଙ୍କଜ ଫଡନଭିସ୍ ।

‘ଅଭିନବ ଭାରତ’ର ପ୍ରତିଷ୍ଠାତା ପଙ୍କଜ ଫଡନଭିସ୍ ଯୁକ୍ତି ବାଢିଥିଲେ ଗାନ୍ଧିଙ୍କ ହତ୍ୟା ପଛରେ ନାଥୁରାମ ଗଡସେଙ୍କ ବ୍ୟତୀତ ଥିଲେ ଆଉ ଜଣେ ବ୍ୟକ୍ତି । ଏ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ପଙ୍କଜ । ପଙ୍କଜ ଯୁକ୍ତି ଦର୍ଶାଇଥିଲେ ତକ୍ରାଳୀନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗାନ୍ଧୀଙ୍କୁ ଚାରିଟି ଗୁଳି ବାଜିଥିଲା । ଗାନ୍ଧିଙ୍କ ହତ୍ୟା ମାମଲାରେ ନାଥୁରାମ ଗଡସେ ଓ ତାଙ୍କର ପ୍ରମୁଖ ସହଯୋଗୀ ନାରାୟଣ ଆପଟେଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଅନ୍ୟ ୬ ଜଣ ସହଯୋଗୀଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ମିଳିନଥିଲା ।

Gandhi-1024x654ଯେତେବେଳେ ସାରା ଦୁନିଆ ଜାଣିଥିଲା ନାଥୁରାମ ଗଡସେଙ୍କ ପିସ୍ତଲରୁ ତିନିଟି ଗୁଳି ମରାଯାଇଥିଲା । ପଙ୍କଜ ଫଡନଭିସଙ୍କ ଜନସ୍ୱାର୍ଥ ମାମଲା ପରେ ପ୍ରଶ୍ନ ଉଠିଥିଲା, ଚତୁର୍ଥ ଗୁଳି ମାରିଲା କିଏ? ତେବେ ଚତୁର୍ଥ ଗୁଳି ଥିଓରୀର ଏହିଠାରେ ଅବସାନ ଘଟିଛି । କାରଣ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ଶରଣ ମତ ଦେଇଛନ୍ତି ଯେ ମହାତ୍ମାଗାନ୍ଧିଙ୍କ ହତ୍ୟା ପଛରେ ଦେଖା ଦେଇଥିବା ବିବାଦ ଭିତିହୀନ ଏବଂ ଏହା ପଛରେ ଆଉ କୌଣସି ରହସ୍ୟ ନାହିଁ । ୪୦୦୦ ପୃଷ୍ଠାର ଟ୍ରାଏଲ କୋର୍ଟର ରେକର୍ଡ ଏବଂ ସବୁ ତଥ୍ୟ ପ୍ରମାଣକୁ ଯାଂଚ କରିବା ପରେ ସୁପ୍ରିମକୋର୍ଟଙ୍କୁ ଏଭଳି ତଥ୍ୟ ଦେଇଛନ୍ତି ଆମିକସ କ୍ୟୁରି । ସେ କହିଛନ୍ତି, ନାଥୁରାମ ଗଡସେଙ୍କ ବ୍ୟତୀତ ଅନ୍ୟ କେହି ଏଥିରେ ସଂପୃକ୍ତ ଥିବାର କୌଣସି ପ୍ରମାଣ ନାହିଁ । ନାଥୁରାମ ଗଡସେଙ୍କ ପିସ୍ତଲରୁ ମରାଯାଇଥିବା ତିନିଟି ଗୁଳିରେ ହିଁ ମୃତ୍ୟୁ ଘଟିଥିଲା ମହାତ୍ମା ଗାନ୍ଧୀଙ୍କର । ଏହି ମାମଲାର ଅଧିକ ତଦନ୍ତ ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ଶରଣ ।