ପୁରୀ ଗଜପତିଙ୍କ ସହ ନୂଆ ଆମିକସ କ୍ୟୁରିଙ୍କ ଆଲୋଚନା: ଗଜପତି କହିଲେ,ରାଜ୍ୟ ସରକାର ଦାୟିତ୍ୱ ନେବା ପରଠୁ ହୋଇନି କୌଣସି ଆଖିଦୃଶିଆ ପରିବର୍ତ୍ତନ

92

କନକ ବ୍ୟୁରୋ: ପୁରୀ ଆସିଥିବା ଆମିକସ କ୍ୟୁରି ରଂଜିତ କୁମାର ଗଜପତିଙ୍କ ସହ ଆଲୋଚନା କରିଛନ୍ତି । ୩ଟି ବିଷୟରେ ଆଲୋଚନା ହୋଇଥିବା ଗଜପତି କହିଛନ୍ତି । ୬୦ ବର୍ଷ ହେବ ରାଜ୍ୟ ସରକାର ଶ୍ରୀମନ୍ଦିରର ଦାୟିତ୍ୱ ନେବା ପରଠାରୁ ଅନ୍ୟ ମନ୍ଦିର ଅପେକ୍ଷା ଶ୍ରୀମନ୍ଦିରର କୌଣସି ଆଖିଦୃଶିଆ ପରିବର୍ତନ ହୋଇନାହିଁ । ସରକାରଙ୍କ ଆନ୍ତରିକତା ଅଭାବ ପାଇଁ ଏଭଳି ସ୍ଥିତି ଉପୁଜିଛି । ଆମିକସ କ୍ୟୁରିଙ୍କ ଗସ୍ତ ପରେ ମାନ୍ୟବର ସୁପ୍ରିମକୋର୍ଟ କଣ ନିଷ୍ପତି ନେଉଛନ୍ତି ତାହା ଉପରେ ନଜର ବୋଲି ଗଜପତି କହିଛନ୍ତି ।

ଗଜପତିଙ୍କ ସହ ଆଲୋଚନା ପରେ ଆମିକସ କ୍ୟୁରିଙ୍କ ଉପସ୍ଥିତିରେ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଚିଂଥିଲେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ପୂର୍ବରୁ ଆମିକସକ୍ୟୁରିଙ୍କ ସହଯୋଗୀ ପୁରୀ ଗସ୍ତରେ ଆସି ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି ।

ପୂର୍ବରୁ ଏହି ଦାୟିତ୍ୱ ଗୋପାଳ ସୁବ୍ରମଣ୍ୟମଙ୍କୁ ଦିଆଯାଇଥିଲା । ତେବେ ସେ ବ୍ୟକ୍ତିଗତ କାରଣରୁ ଓହରିଯାଇଥିଲେ । ଆମିକସ କ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ଏହା ପ୍ରଥମ ପୁରୀ ଗସ୍ତ । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ନେଇ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନଜୀବି ମୃଣାଳିନୀ ପାଢ଼ୀ । ଏହି ଆବେଦନ ଉପରେ ବିଚାର କରି ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ସର୍ବୋଚ୍ଚନ୍ୟାୟାଳୟ ।