ଗୋଟିଏ ମଂଚରେ ପ୍ରତିପକ୍ଷଙ୍କ ବାକ୍ ଲଢେଇ : ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ହିଲାରୀ କ୍ଲିଂଟନ

33

କନକ ବ୍ୟୁରୋ : ସରଗରମ ଏବେ ଆମେରିକାର ରାଜନୀତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ଚାଲିଛି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର । ରାଷ୍ଟ୍ର ପାଇଁ ବିକାଶର ସ୍ୱପ୍ନ ଦେଖାଇବା ସହ ପରସ୍ପରକୁ ଆକ୍ଷେପ କରିଛନ୍ତି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ । ଆଜି ସାମ୍ନା ସାମ୍ନି ବିତର୍କ କରିଛନ୍ତି ଦୁଇ ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପ ଏବଂ ହିଲାରୀ କ୍ଲିଂଟନ ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ଯୋଗ୍ୟ ନୁହନ୍ତି । ଏହା କହିଛନ୍ତି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଂଟନ । ଆଜି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବେଶ୍ ସରଗରମ ଆଲୋଚନା ହୋଇଛି । ମହିଳାଙ୍କ ଉପରେ ଟ୍ରମ୍ପଙ୍କ ମନ୍ତବ୍ୟ ଦ୍ୱାରା ସେ କେଉଁ ପ୍ରକାରର ବ୍ୟକ୍ତି ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ହିଲାରୀ । ଅପରପକ୍ଷରେ ବିଲ୍ କ୍ଲିଂଟନଙ୍କ ସହ ସମ୍ପର୍କ ଥିବା ମହିଳାଙ୍କ ଉପରେ ହିଲାରୀ ଆକ୍ରମଣ କରନ୍ତି ବୋଲି ହିଲାରୀଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଏପରିକି ଟ୍ରମ୍ପ ରାଷ୍ଟ୍ରପତି ହେଲେ ସେ ହିଲାରୀଙ୍କୁ ଜେଲ୍ ପଠେଇଦେବେ ବୋଲି କହିଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଯେଉଁଥିରେ ମହିଳାଙ୍କୁ ନେଇ ସେ ଆପତିଜନକ ଟିପ୍ପଣୀ କରିଥିଲେ । ସେ ବିବାହିତ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ସେହି ଭିଡିଓରେ ରହିଛି । ଅର୍ନ୍ତଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କ ସହ କଥା ହେଲା ବେଳେ ସେ ମହିଳାଙ୍କୁ ନେଇ ଆପତିଜନକ ଟିପ୍ପଣୀ କରିଥିଲେ ।

୨୦୦୫ର ଏହି ଭିଡିଓ ପଦାକୁ ଆସିବା ପରେ ଏହା ଲକର୍ ରୁମରେ କରାଯାଇଥିବା ଏକ ଥଟ୍ଟା ଥିଲା ବୋଲି କହିଥିଲେ । ଏନେଇ ପରିସ୍ଥିିିତି ଖରାପ ହେଉଥିବା ଦେଖି ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଟ୍ରମ୍ପ । ଏହାପରେ ବିଲ୍ କ୍ଲିଂଟନଙ୍କୁ ନେଇ ହିଲାରୀକୁ ଟାର୍ଗେଟ କରିଥିଲେ ।