ଆମେରିକା ବହିରେ ଭାରତ ସ୍ୱାଧୀନତା ଆନ୍ଦୋଳନର ଚିତ୍ର ! ଆମେରିକା ପିଲା ପଢିବେ ଭାରତର ଐତିହାସିକ କାହାଣୀ ।

40

ଏଣିକି ଆମେରିକା ସ୍କୁଲ ଗୁଡିକରେ ଭାରତ ଇତିହାସ ସହ ଯୋଡି ହୋଇଥିବା କେତେକ କାହାଣୀ ପଢାଯିବ । ନିକଟରେ ଆମେରିକାର ଅସ୍ଟୋରିଆରେ ସହରରେ ହୋଇଥିବା କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନେ କହିଥିଲେ ଯେ, ଗଦର ପାର୍ଟିର ଇତିହାସ ଏବେ ସ୍କୁଲରେ ମଧ୍ୟ ପଢାଯିବ । ଏହି ପାର୍ଟିର ୧୦୫ ବର୍ଷ ପୂର୍ତ୍ତି ଅବସରରେ ଓରେଗନ ରାଜ୍ୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଥିଲା ।

ଗଦର ପାର୍ଟି ଏପରି ଏକ ପାର୍ଟି ଥିଲା, ଯିଏକି ଭାରତର ପୂର୍ଣ୍ଣ ସ୍ୱାଧୀନତା ପାଇଁ ଦାବି କରିଥିଲା ଏବଂ ସାମ୍ରାଜ୍ୟବାଦ ବିରୋଧରେ ସଂଘର୍ଷର ଘୋଷଣା ମଧ୍ୟ କରିଥିଲା । ସୂଚନା ଅନୁଯାୟୀ, ଗଦର ପାର୍ଟି କାନାଡା ଏବଂ ଆମେରିକାରେ ପ୍ରବାସୀ ଭାରତୀୟମାନେ ୧୯୧୩ ମସିହାରେ ସ୍ଥାପନା କରିଥିଲେ ।ଏହାର ସଂସ୍ଥାପକ ଅଧ୍ୟକ୍ଷ ସରଦାର ସୋହନ ସିଂହ ଭାକନା ଥିଲେ । ୧୯୧୩ ମସିହା ଏପ୍ରିଲ ମାସ ୨୧ ତାରିଖରେ ଭାରତୀୟମାନେ ଗଦର ପାର୍ଟିର ସ୍ଥାପନା କରିଥିଲେ । ଏହା ସହ ଗଦର ନାମରେ ଏକ ସାପ୍ତାହିକ ଖବରକାଗଜ ବାହାର କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଏବଂ ଏହାର ଦାୟିତ୍ୱ କରତାର ସିଂହ ସରାଭାଙ୍କୁ ଦିଆଯାଇଥିଲା ।

ଏହି ଖବରକାଗଜରେ ଦେଶଭକ୍ତି ଭରା ଉତ୍ସାହ କବିତା ଛପାଯାଉଥିଲା ଯାହାର ପ୍ରଭାବ ଲୋକମାନଙ୍କ ଉପରେ ପଡୁଥିଲା । ଏହି ପାର୍ଟି ପଛରେ ଲାଲା ହରଦୟାଲଙ୍କ ଭାବନା ଥିଲା । ସେ ଆମେରିକା ଯାଇଥିଲେ ଏବଂ ସେଠାରେ ପ୍ରବାସୀ ଭାରତୀୟମାନଙ୍କୁ ଏକତ୍ରିତ କରିବା ଆରମ୍ଭ କରିଦେଇଥିଲେ ଏବଂ ଗଦର ପାର୍ଟିର ସ୍ଥାପନା କରିଥିଲେ ।

ଗଦର ପାର୍ଟି ୧୯୧୫ ମସିହା ଫେବୃଆରୀ ୨୧ ତାରିଖ ଦିନ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଗର୍ଦାର ମୁଖବିର କିରପାଲ ସିଂହ ବ୍ରିଟିଷ ସରକାରଙ୍କୁ ଏବାବଦରେ ସୂଚନା ଦେଇ ଦେଇଥିଲା । ଏହାର ସୂଚନା ଯେତେବେଳେ କ୍ରାନ୍ତିକାରୀମାନଙ୍କୁ ମିଳିଥିଲା ସେମାନେ ବିଦ୍ରୋଦ କରିବାର ତାରିଖକୁ ୧୯ ଫେବୃଆରୀକୁ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଏହି ଖବର ମଧ୍ୟ ଇଂରେଜ ସରକାରଙ୍କ ପାଖରେ ପହଞ୍ଚି ଯାଇଥିଲା । ଏହା ପରେ ଇଂରେଜମାନେ ଏହି ଲୋକମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ।