ଆଣ୍ଡାମାନ ନିକୋବର ଦ୍ୱୀପରେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା, ଧର୍ମାନ୍ତୀକରଣ ପାଇଁ ଯାଇଥିବା ବେଳେ ଧନୁତୀରରେ ମାରିଲେ ଆଦିବାସୀ

ଶେଷ ପୋଷ୍ଟରେ ଲେଖିଥିଲେ ମୁଁ ମରିବାକୁ ଚାହେଁ ନାହିଁ ।

294

କନକ ବ୍ୟୁରୋ : ଆଣ୍ଡାମାନ ନିକୋବର ଦ୍ୱୀପରେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା । ଏହି ଦ୍ୱୀପପୁଂଜର ନର୍ଥ ସେଂଟିନେଲ ଆଇଲ୍ୟାଣ୍ଡରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରିଛନ୍ତି ଆଦିବାସୀ । ।

ସେଂଟିନେଲ ଦ୍ୱୀପରେ ଧର୍ମାନ୍ତୀକରଣ ପାଇଁ ପହଂଚିଥିଲେ ଆମେରିକାର ଜନ୍ ଏଲେନ ଚାଉ । ଏଠାକୁ ଯିବା ପୂର୍ବରୁ ସେ ଏକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ, ସେ ମରିବାକୁ ଚାହୁଁନାହାନ୍ତି । ଏବଂ ଏହି ଆଦିବାସୀଙ୍କୁ ଜୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ କହିବା ବୃଥା ହେବ ନାହିଁ । ଜନ ଏଲେନଙ୍କୁ ଧନୁତୀର ସାହାଯ୍ୟରେ ଆକ୍ରମଣ କରି ସେଂଟିନେଲୀଜ ଆଦିବାସୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣା ଖୋଳତାଡ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ଅଧିକ ଖୋଳତାଡ ପାଇଁ ପୋର୍ଟ ବ୍ଲେୟାର ପହଂଚିଛନ୍ତି ଆମେରିକୀୟ ଦୂତାବାସ ଅଧିକାରୀ । ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ୧୬ତାରିଖରେ ଏହି ଘଟଣା ଘଟିଛି । ପୋଲିସ ଏହି ଘଟଣାରେ ୭ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି । ଏବଂ ଏମାନଙ୍କୁ ଘଟଣା ସର୍ମ୍ପକରେ ଅଧିକ ପଚରାଉଚରା କରୁଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଆଣ୍ଡାମାନ ନିକୋବର ଦ୍ୱୀପର ସଂରକ୍ଷିତ ଜନଜାତି ଦ୍ୱାରା ଏହି ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି । ଜନ ଚାଉ ଗତ କିଛି ଦିନ ଧରି ସେଂଟିନେଲ ଆଇଲ୍ୟାଣ୍ଡକୁ ଯିବା ପାଇଁ ପ୍ରୟାସ ଚଳାଇଥିଲେ । ଏବଂ ୧୬ତାରିଖ ଦିନ ସେ ଯାଇ ସେଂଟିନେଲ ଆଇଲ୍ୟାଣ୍ଡରେ ପହଂଚିଯାଇଥିଲେ । ଏହି ଆଇଲ୍ୟାଣ୍ଡରେ ମୂଳ ସେଂଟିନେଲୀଜ ଆଦିବାସୀ ବସବାସ କରନ୍ତି । ଏହି ଆଦିବାସୀ ମାନେ ବାହ୍ୟ ଜଗତ ସହ କୌଣସି ସମ୍ପର୍କ ରଖିବାକୁ ନାପସନ୍ଦ କରନ୍ତି । ଏବଂ ଏଥିପାଇଁ ଆମେରିକୀୟ ପର୍ଯ୍ୟଟକଙ୍କୁ ସେମାନେ ହତ୍ୟା କରିଥିବା ଜଣାପଡିଛି । ପ୍ରଥମେ ଧନୁତୀର ସାହାଯ୍ୟରେ ଆକ୍ରମଣ କରିବା ପରେ ତାଙ୍କୁ ଘୋଷାଡି ଘୋଷାଡି କୂଳ ପର୍ଯ୍ୟନ୍ତ ଆଣିଥିଲେ ଆଦିବାସୀ । ଏବଂ ବାଲି ମଧ୍ୟରେ ଜନ୍ ଏଲେନ ଚାଉଙ୍କୁ ସେଠାରେ ପୋତି ଦେଇଥିଲେ ବୋଲି ସୂଚନା ମିଳିଛି । ମତ୍ସଜୀବୀ ମାନେ ପ୍ରଥମେ ଘଟଣା ସର୍ମ୍ପକରେ ଜାଣିବା ପରେ ପୋଲିସଙ୍କୁ ଖବର ଦେଇଥିଲେ । ସେଂଟିନେଲୀଜ ଆଦିବାସୀ ବାହ୍ୟ ଜଗତକୁ ବିରୋଧ କରୁଥିବା ଯୋଗୁୁଁ ପୋଲିସ ମଧ୍ୟଘଟଣାସ୍ଥଳରେ ପହଂଚି ପାରିନାହିଁ । ୨୦୧୧ ଜନଗଣନା ଅନୁଯାୟୀ ଏଠାରେ ୪୦ଜଣ ବ୍ୟକ୍ତି ବସବାସ କରୁଛନ୍ତି । ଏବଂ ଏମାନେ ବାହ୍ୟ ଜଗତ ସହ ସମ୍ପର୍କରେ ରହିବାକୁ ନାପସନ୍ଦ କରନ୍ତି ।