ଆମେରିକାର ଚେତାବନୀ ପରେ ବି ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ! କିମ ଜୋଙ୍ଗଙ୍କ ବିରୋଧରେ ସାରା ବିଶ୍ୱ ଏକାଠି ହେବାକୁ ୱାଂଶିଟନର ଅପିଲ

31

କନକ ବ୍ୟୁରୋ : ପୁଣି ଶକ୍ତି ଦେଖାଇଲେ କିମ ଜୋଙ୍ଗ । ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତ୍ତରକୋରିଆ । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ କୋରିଆର ସେନାମୁଖ୍ୟ । ଉତ୍ତର କୋରିଆ ପୁଣି ଏକ ବାଲିଷ୍ଟକ ମିସାଇଲ ପରୀକ୍ଷଣ କରିଥିବା ସେ କହିଛନ୍ତି । ଏ ସଂପର୍କରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପାଖରେ ମଧ୍ୟ ସୂଚନା ରହିଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଅନ୍ତର୍ମହାଦ୍ୱୀପ ବାଲିଷ୍ଟକ ମିସାଇଲ ।

ଏହି ମିସାଇଲ ୧ ହଜାର କିଲୋମିଟର ଅତିକ୍ରମ କରି ଜାପାନ ସାଗରରେ ପଡିଛି । ତେବେ ଏହି କ୍ଷେପଣାସ୍ତ୍ର ଜାପାନ ଉପର ଦେଇ ଅତିକ୍ରମ କରିଛି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଉତ୍ତରକୋରିଆର ଏହି ପଦକ୍ଷେପ ଏହା ସାରା ବିଶ୍ୱ ପାଇଁ ବିପଜ୍ଜନକ ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମେଟିସ । ଏହା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏ ସଂପର୍କରେ ମେଟିସଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏପରି ପରିସ୍ଥିତିକୁ ଆମେ ସମ୍ଭାଳି ନେବୁ ବୋଲି କହିଛନ୍ତି ଟ୍ରମ୍ପ ।