ପାକିସ୍ତାନକୁ ପାନେ ଦେବା ପାଇଁ ଆମେରିକାର କଡା ପଦକ୍ଷେପ । ସମସ୍ତ ସୁରକ୍ଷା ଅନୁଦାନ ବନ୍ଦ ଘୋଷଣା ।

21

କନକ ବ୍ୟୁରୋ : ପାକିସ୍ତାନକୁ ପାନେ ଦେବା ପାଇଁ ଆମେରିକାର କଡା ପଦକ୍ଷେପ । ପ୍ରଥମେ ସାଢେ ୨୫ କୋଟି ଡଲାରର ସାମରିକ ସହାୟତା ବନ୍ଦ କରିବା ପରେ, ସୁରକ୍ଷା ସଂପର୍କୀତ ସମସ୍ତ ଅନୁଦାନକୁ ବନ୍ଦ କରିଦେଇଛି ଆମେରିକା । ୨୦୧୭ ଆର୍ଥିକ ବର୍ଷ ପାଇଁ ମୋଟ ୧୧୫ କୋଟି ଡଲାରର ଆର୍ଥିକ ସହାୟତା ବନ୍ଦ କରିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ ସରକାର ।

ନୂଆବର୍ଷରେ ପାକିସ୍ତାନ ବିରୋଧରେ କଡା ଟ୍ୱିଟ୍ ପରେ ଏଭଳି ନିଷ୍ପତି ନେଇଛି ୱାସିଂଟନ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ଲେଖିଥିଲେ ଯେ, ଗତ ୧୫ ବର୍ଷରେ ଆମେରିକା ପାକିସ୍ତାନକୁ ୩୩ଶହ କୋଟି ଡଲାର ଅନୁଦାନ ଦେଇଛି । ହେଲେ ହୋର ଜବାବରେ କେବଳ ମିଛ ଓ ପ୍ରତାରଣା ମିଳିଛି । ସାରା ବିଶ୍ୱର ଆତଙ୍କ ଖେଳାଉଥିବା ଦୁର୍ଦ୍ଦଶ ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ପାକିସ୍ତାନ ।

ତେବେ ୨୦୧୭ ଆର୍ଥିକ ବର୍ଷରେ କୋଆଲିସନ ସପୋର୍ଟ ଫଣ୍ଡ ବାବଦକୁ ଆମେରିକା ପାକିସ୍ତାନକୁ ୯ହଜାର କୋଟି ଡଲାର ପ୍ରଦାନ କରିବାକୁ ଯୋଜନା କରିଛି । କିନ୍ତୁ ପାକିସ୍ତାନ ମାଟିରେ ଥିବା ହକାନି ନେଟସ୍ୱର୍କ ଓ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଲେ କେବଳ ୪ ହଜାର କୋଟି ଡଲାର ପ୍ରଦାନ କରାଯାଇପାରେ । ଏନେଇ ସ୍ପଷ୍ଟ କରିଛନ୍ତି ଆମେରିକା ପ୍ରତିରକ୍ଷା ବିଭାଗର ମୁଖପାତ୍ର ଲେଫଟେନାଂଟ କର୍ଣ୍ଣେଲ ମାଇକ ଆଣ୍ଡ୍ର୍ୟୁସ ।