ମନେ ପଡିଲା ପୁରୁଣା ବନ୍ଧୁ । ପୁଣି ପାକିସ୍ତାନକୁ ସାମରିକ ତାଲିମ ଦେବ ଆମେରିକା ।

493

କନକ ବ୍ୟୁରୋ : ମଧ୍ୟ ପ୍ରାଚ୍ୟରେ ଇରାନ ଓ ଆମରିକା ମଧ୍ୟରେ ଉତ୍ତେଜନା ବଢୁଥିବାବେଳେ ନିଜର ପୁରୁଣା ବନ୍ଧୁ ପାକିସ୍ତାନକୁ ମନେପକାଇଛି ଆମେରିକା । ଶୁକ୍ରବାରଦିନ ଇରାନର କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିବାପରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପେଓ ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ଫୋନ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଏହି ଆଲୋଚନା ପରେ ଆଜି ଖବର ଆସିଛି ଯେ ଆମେରିକା ପୁଣି ଥରେ ପାକିସ୍ତାନୀ ସେନାକୁ ତାଲିମ ଦେବା ଆରମ୍ଭ କରିବ । ଅନ୍ତର୍ଜାତୀୟ ମିଲିଟାରୀ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅଧିନରେ ଏହି ତାଲିମ ପ୍ରଦାନ କରିବ ଆମେରିକା । ଗତ ୨୦୧୮ରେ ଆମେରିକା ପାକିସ୍ତାନ ସେନାକୁ ତାଲିମ ପ୍ରଦାନ ବନ୍ଦ କରିଥିଲା । ତେବେ ପାକିସ୍ତାନକୁ ଅନୁଦାନ ପ୍ରଦାନ ବନ୍ଦ ରହିବ । ଏ ସଂପର୍କରେ ଶନିବାରଦିନ ଆମେରିକାର ଦକ୍ଷିଣ ଓ କେନ୍ଦ୍ର ଏସିଆ ବିଭାଗ ଉପସଚିବ ଆଲିସ ୱେଲସ ଟ୍ଵିଟ କରି ସୂଚନା ଦେଇଛନ୍ତି । ୨୦୧୮ରେ ନିଜର ନବବର୍ଷ ଟ୍ଵିଟରେ ଟ୍ରମ୍ପ ପାକିସ୍ତାନକୁ ୨ ବିଲିୟନ ଡଲାର ସହାୟତା ପ୍ରଦାନ ବନ୍ଦ କରିବା ବିଷୟ ଘୋଷଣା କରିଥିଲେ । କିନ୍ତୁ ଏବେ ଇରାନ ସହ ଉତ୍ତେଜନା ବୃଦ୍ଧି ପରେ ଆମେରିକା ପାଇଁ ପାକିସ୍ତାନର ଆବଶ୍ୟକତା ବଢିଯାଇଛି । ଇରାନ ଆମେରିକା ଯୁଦ୍ଧ ହେଲେ ପାକିସ୍ତାନକୁ ଆମେରିକା ଏକ ଘାଟି ଭାବେ ବ୍ୟବହାର କରିପାରିବ ।