ହିଂସା ଛାଡ଼, ଦେଶର ଭବିଷ୍ୟତ ଗଢ଼ । ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଆହ୍ୱାନ । କହିଲେ, ଆମେରିକା ଯୁଦ୍ଧ ନୁହେଁ ଶାନ୍ତି ଚାହେଁ ।

1,207

କନକ ବ୍ୟୁରୋ: ଇରାକ ଓ ଆମେରିକା ମଧ୍ୟରେ ବଢୁଥିବା ଉତେଜନା ଭିତରେ ନରମ ପଡିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମେରିକା ଶାନ୍ତି ଚାହେଁ ଏହାସହ ଆତଙ୍କବାଦ ଦମନ ପାଇଁ ଇରାନ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଇରାନ ନେତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ଇରାନବାସୀଙ୍କ ପାଇଁ ଏକ ଉଜ୍ୱଳ ଭବିଶ୍ୟତ ଅପେକ୍ଷା କରିଛି ।

ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ୍ ମିଜାଇଲ୍ ମାଡ଼ କରି ୮୦ଜଣ ସୈନ୍ୟଙ୍କୁ ମାରି ଦେଇଥିବା ଦାବିକୁ ଅସ୍ୱୀକାର କରିଛନ୍ତି ଆମେରିକାର ରାଷ୍ଟ୍ରପତି । ଦେଶବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ସାମରିକ ଘାଟିର ଅଳ୍ପ ବହୁତ କ୍ଷତି ଘଟିଛି । କିନ୍ତୁ କୌଣସି ସୈନିକଙ୍କ ମୃତ୍ୟୁ ହୋଇନାହିଁ ।

ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଆସିବାର କିଛି ସମୟ ପରେ ବାଗଦାଦର ସବୁଠାରୁ ସୁରକ୍ଷିତ ଗ୍ରୀନଜୋନରେ ଆମେରିକୀୟ ଦୂତାବାସ ନିକଟରେ ପୁଣି ରକେଟ ଆକ୍ରମଣ ହୋଇଛି । ଇରାନୀ ସେନା ଏଭଳି ଆକ୍ରମଣ କରିଥିବା ସ୍ପଷ୍ଟ କରିଛି ।

ଗୋଟିଏ ପଟେ ଆମେରିକା ଶାନ୍ତି ଚାହୁଁଥିବା କଥା ରାଷ୍ଟ୍ରପତି କହିଛନ୍ତି । ଅପରପକ୍ଷରେ ଇରାନ୍ ଏକ ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଏବଂ ଏହି ରାଷ୍ଟ୍ର ସାରା ବିଶ୍ୱରେ ଆତଙ୍କବାଦକୁ ପ୍ରେତ୍ସାହିତ କରୁଛି ବୋଲି କହିଛନ୍ତି ଟ୍ରମ୍ପ । ଇରାନ୍ ଉପରେ ଆର୍ଥିକ କଟକଣାକୁ ଆହୁରି କଠୋର କରାଯିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି । କୌଣସି ପରିସ୍ଥିତିରେ ଇରାନକୁ ପରମାଣୁ ଶକ୍ତିି ସମ୍ପନ୍ନ ରାଷ୍ଟ୍ର କରାଇ ଦିଆଯିବ ନାହିଁ ବୋଲି ଦୋହରାଇଛନ୍ତି ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି ଆହୁରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମଧ୍ୟପ୍ରାଚ୍ୟର ତେଲ ଆମେରିକାର ଆବଶ୍ୟକ ନାହିଁ, ତୈଳ କ୍ଷେତ୍ରରେ ଆମେରିକା ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତେଜନା ଭିତରେ ଟ୍ରମ୍ପଙ୍କ ବୟାନ ଯୁଦ୍ଧ ଆଶଙ୍କାକୁ ଟାଳି ଦେଇଛି । ଅପରପକ୍ଷରେ ଟ୍ରମ୍ପଙ୍କ ବୟାନର କିଛି ସମୟ ପରେ ପୁଣି ଆକ୍ରମଣ କରିଛି ଇରାନ ।