ଟ୍ରମ୍ପ ଝଟକା ପରେ ଆତଙ୍କବାଦୀ ହାଫିଜ ସୟିଦକୁ ଶକ୍ତ ଝଟକା । ଇସଲାମାବାଦର କାର୍ଯ୍ୟାନୁଷ୍ଠାନ । ପାକିସ୍ତାନର ହଇଚଇ

74

କନକ ବ୍ୟୁରୋ : ଅନୁଦାନ ବନ୍ଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ପାକିସ୍ତାନ । ପାକିସ୍ତାନକୁ ଟ୍ରମ୍ପ ଝଟକା ପରେ ଅନ୍ତର୍ଜାତୀୟ ରାଜନୀତି ସରଗରମ ହୋଇଛିା ପାକିସ୍ତାନକୁ ସହାୟତା ରାଶି ବନ୍ଦ କରିଦେବାକୁ ଆମେରିକା ରାଷ୍ଟ୍ରପତି ଧମକ ଦେବା ପରେ ପାକିସ୍ତାନରେ ହଇଚଇ ଖେଳିଯାଇଛି । ଟ୍ରମ୍ପ ଝଟକାର କିଛି ସମୟ ମଧ୍ୟରେ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦଙ୍କୁ ଶକ୍ତ ଝଟକା ଲାଗିଛି । ଆତଙ୍କବାଦୀ ସଂଗଠନର ମ୍ରୁଖିଆ ହାଫିଜ ସୟିଦର ଜମାତ ଉଦ ଦାୱାକୁ ଅନୁଦାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ହାଫିଜର ଆଉ ଏକ ସଙ୍ଗଠନ ଫଲାଏ-ଏ-ଫାଉଣ୍ଡେସନ ଫାଉଣ୍ଡେସନକୁ ବି ଦିଆଯାଉଥିବା ଫଣ୍ଡକୁ ବନ୍ଦ କରାଯାଇଛି । ଏଥିସହ ପାକିସ୍ତାନ ସରକାର ହାଫିଜର ତତ୍ୱାବଧାନରେ ଚାଲୁଥିବା ସମସ୍ତ ସଂଗଠନ ବିଷୟରେ ସବିଶେଷ ତଥ୍ୟ ଯୋଗାଡ କରିବାକୁ ପ୍ରାନ୍ତୀୟ ସରକାରଙ୍କୁ ଗୁପ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଦ ସିକ୍ୟୁରିଟି ଆଣ୍ଡ ଏକ୍ସଚେଂଜ କମିସନ ଅଫ ପାକିସ୍ତାନ ହାଫିଜ ସୟିଦର ସମସ୍ତ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହାଫିଜର ସଂପତି ଜବତ ଖବର ଏପରି ସମୟରେ ଆସିଛି, ଯେତେବେଳ ଆମେରିକା ରାଷ୍ଟ୍ରପତି ଆତଙ୍କବାଦ ବିରୋଧୀ ସହାୟତା ରାଶି ବନ୍ଦ କରିବାକୁ ଧମକ ଦେଇସାରିଛନ୍ତି । ତେଣୁ ଅନୁଦାନ ବନ୍ଦ ଆଶଙ୍କାରେ ଲୋକ ଦେଖାଣିଆ ଭାବେ ହାଫିଜ ସଂପତି ଜବତ ଖବର ପାକିସ୍ତାନ ପ୍ରଚାର କରୁଥିବା ସନ୍ଦେହ କରାଯାଉଛି ।

ନୂଆବର୍ଷରେ ପାକିସ୍ତାନକୁ କଡା ଝଟା ଦେଇଥିଲେ ଡୋନାଲଡ ଟ୍ରମ୍ପ । ଡୋନାଲ୍ଡ ଟ୍ରଂପ ଟ୍ୱିଟ କରି ଲେଖିଛନ୍ତି, ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନାଁରେ ଆମେରିକାକୁ ବୋକା ବନେଇଛି । ଗତ ୧୫ ବର୍ଷରେ ପାକିସ୍ତାନକୁ ୩୩ ବିଲିୟନ ଡଲାର ସହାୟତା ଦେଇଛି ଆମେରିକା । ହେଲେ ପାକିସ୍ତାନ କେବଳ ମିଛ ଓ ଛଳ କପଟ ଛଡା କିଛି ଦେଇ ନାହିଁ । ପାକିସ୍ତାନ ଆମ ନେତାଙ୍କୁ ମୁର୍ଖ ଭାବୁଛି । ଆଫଗାନିସ୍ତାନରେ ଆମେରିକା ସଂହାର କରୁଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଶରଣ ଦେଉଛି । ତେଣୁ ଆଗକୁ ସହାୟତା ଦେବା ବନ୍ଦ ବୋଲି ଟ୍ୱିଟ କରିଛନ୍ତି ଟ୍ରଂପ । ଟ୍ରଂପ କହିଛନ୍ତି ଆମେରିକା ଏବେ ପାକିସ୍ତାନର ଆତଙ୍କବାଦ ପ୍ରେମକୁ ଠିକ ବୁଝି ପାରିଛି । ୧୫ ବର୍ଷରେ ଦିଆଯାଇଥିବା ୩୩ ଅରବ ଡଲାର ବେକାରରେ ଯାଇଛି । କାରଣ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଗାମ ଲଗାଇ ନାହିଁ ।

ଅନ୍ୟପଟେ ଟ୍ରଂପଙ୍କ ବୟାନର ଜବାବ ଦିଆଯିବ ବୋଲି ପାକିସ୍ତାନ ଡିଣ୍ଡିମ ପିଟିଛି । ଟ୍ରଂପଙ୍କ ବୟାନ ପରେ ତୁରନ୍ତ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖାକାନଙ୍କୁ ଭେଟିଛନ୍ତି ପାକ ବିଦେଶ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ । ପାକ ବିଦେଶ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ଟ୍ୱିଟ୍ କରି ଲେଖିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଟ୍ୱିଟର ଶୀଘ୍ର ଜବାବ ଦିଆଯିବ । ଦୁନିଆ ଶୀଘ୍ର ସତ ଜାଣିବ, ସତ ଓ କାଳ୍ପନିକ କଥାର ଅନ୍ତର ଜଣାପଡିବ ବୋଲି ସେ କହିଛନ୍ତି ।