କାଶ୍ମୀରରେ ଲାଗୁ ଅନୁଚ୍ଛେଦ ୩୫(ଏ) ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସ୍ୱତନ୍ତ୍ର ଅଧିକାରର ହୋଇପାରେ ସମୀକ୍ଷା

31

କନକ ବ୍ୟୁରୋ:  ଜାମ୍ମୁ-କାଶ୍ମୀରରେ ଲାଗୁ ଅନୁଚ୍ଛେଦ ୩୫(ଏ)ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ୩ ଜଣିଆ ବେଂଚ ଏହା ଉପରେ ଆଜି ଶୁଣାଣି କରିବେ । ଏହି ବେଂଚରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ବି ଅଛନ୍ତି । ଅନୁଚ୍ଛେଦ ୩୫ (ଏ)କୁ ୧୯୫୪ ମସିହାରେ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇଥିଲା । ଏହି ଅନୁଚ୍ଛେଦ ଜାମ୍ମୁ-କାଶ୍ମୀରକୁ କିଛି ସ୍ୱତନ୍ତ୍ର ଅଧିକାର ଦେଇଛି । ଅନୁଚ୍ଛେଦ ଅନୁସାରେ, ଜାମ୍ମୁ-କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକ ଜମି କିଣିବା, ସରକାରୀ ଚାକିରୀ କରିବା ଏବଂ ବିଧାନସଭା ନିର୍ବାଚନରେ ଭୋଟ ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ବିରୋଧରେ ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସୁପ୍ରିମକୋର୍ଟ ଯାଇଛି ।

ଅଗଷ୍ଟରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେଇଥିଲା । ସେତେବେଳେ କୋର୍ଟ ଅନୁଚ୍ଛେଦ ୩୫ (ଏ) ଓ ୩୭୦ ଅନୁସାରେ ରାଜ୍ୟକୁ ଦିଆଯାଉଥିବା ସ୍ୱତନ୍ତ୍ର ଅଧିକାରର ସମୀକ୍ଷା ହେବ ବୋଲି କହିଥିଲେ । ଶୁଣାଣି ପୂର୍ବରୁ ଜାମ୍ମୁ-କାଶ୍ମୀରରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡିଛି । ବିଚ୍ଛିନ୍ନଚ୍ଛାବାଦୀ ନେତାମାନେ ଏକ ମିଳିତ ବିବୃତିରେ କହିଛନ୍ତି -ସୁପ୍ରିମକୋର୍ଟ ରାଜ୍ୟର ହିତ ବିରୋଧରେ କୌଣସି ନିଷ୍ପତି ନେଲେ ଆନ୍ଦୋଳନ ହେବ ।