ଆସିଲାନି ଆମ୍ବୁଲାନ୍ସ: ୬ କିମି ଚାଲିଲେ, ପାହାଡି ରାସ୍ତାରେ ପ୍ରସବ କଲେ । ଜଙ୍ଗଲୀ ରାସ୍ତାରେ ପ୍ରସବ କରାଇଲେ ଆଶା ଦିଦି

82

କନକ ବ୍ୟୁରୋ: ପୁଣି ଚାଲିଲେ ଗର୍ଭବତୀ । ରାସ୍ତା ନଥିବାରୁ ୬ କିଲୋମିଟର ଚାଲିଲେ ଗର୍ଭବତୀ । ଆମ୍ବୁଲାନ୍ସ ଆସିବାକୁ ମନା କରିବାରୁ ପାହାଡି ରାସ୍ତାରେ ୬ କିଲୋମିଟର ଚାଲି ଚାଲି ମେଡିକାଲ ଗଲେ ଗର୍ଭବତୀ । ଏଭଳି ଅଭିଯୋଗ ଆସିଛି ରୟଗଡା କୋଡିଗୁମା ଅଞ୍ଚଳରୁ ।

ତେବେ ସୂଚନା ମୁତାବକ ନିୟମଗିରି ପାହାଡ ତଳେ ଥିବା କୋଡିଗୁମା ଗାଁରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜଣେ ପ୍ରସୂତି । ଯନ୍ତ୍ରଣା ଅଧିକ ହେବାରୁ ସେମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତା ନଥିବାରୁ ଯିବା ପାଇଁ ସିଧା ସିଧା ମନା କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଆମ୍ବୁଲାନ୍ସ ନଆସିବାରୁ ବାଧ୍ୟ ହୋଇ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ମହିଳାଙ୍କୁ ବାଟରେ ଚଲେଇ ଚଲେଇ ଆଣିଥିଲେ ପରିବାର ଲୋକେ ।

ମାତ୍ର ଘର ଠାରୁ ୨ କିମି ଚାଲି କରି ଆସିବା ପରେ ପାହାଡି ରାସ୍ତାରେ ପ୍ରସବ କରିଥିଲେ ମହିଳା । ନିଛାଟିଆ, ଶୂନଶାନ ପାହାଡି ରାସ୍ତାରେ ପ୍ରସବରେ ସାହାଯ୍ୟ କରିଥିଲେ ଆଶା ଦିଦି । ଜଙ୍ଗଲୀ ରାସ୍ତାରେ ଯେଉଁଠି ଆମ୍ବୁଲାନ୍ସ ଆସିବାକୁ ମନା କରିଦେଲା ସେହି ସମୟରେ ଆଶା ଦିଦି ହିଁ ଗର୍ଭବତୀ ମହିଳାଙ୍କ ସାହା ଭରସା ସାଜିଥିଲେ । ରାସ୍ତା କଡରେ ପ୍ରସବ ପରେ ମାଆ ଓ ପିଲାକୁ ଭଡା ଗାଡିରେ ମେଡିକାଲ ଅଣଗଲା । ଦେଓଗାଁ ପର୍ଯ୍ୟନ୍ତ ଚାଲି ଚାଲି ଆସି ସେଠାରୁ ମେଡିକାଲକୁ ଭଡା ଗାଡିରେ ଆସିଥିଲେ ମାଆ ଓ ଶିଶୁ ।

ତେବେ ଏ ଘଟଣାକୁ ଦେଖିଲା ପରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି କି ଏ ସରକାରୀ ଯୋଜନା କାହା ପାଇଁ ? ଯେଉଁ ଲୋକଙ୍କ ସେବା ପାଇଁ ଏତେ ସବୁ ଯୋଜନା ସରକାର କରୁଛନ୍ତି, ସେ ଯୋଜନା କାମରେ ଲାଗୁନି କଣ ପାଇଁ ? ଆଜି ଯଦି ଘଟଣାସ୍ଥଳରେ ଆଶା କର୍ମୀ ନଥାନ୍ତେ, ତେବେ କଣ ହୋଇଥାନ୍ତା ପରିସ୍ଥିତି । ଯନ୍ତ୍ରଣାରେ ଛଟପଟ ହୋଇ ଗର୍ଭବତୀ ମହିଳାଙ୍କର ଆଜି ଯଦି କଣ ହୋଇ ଯାଇଥାନ୍ତା ତେବେ ନିଜକୁ ଦାୟୀ କରିଥାନ୍ତେ କି ସରକାର ?