ଲକ୍ ଡାଉନ୍ ନିୟମ ଭାଙ୍ଗି ଆମ୍ବୁଲାନ୍ସକୁ ଜରିମାନା । ଆମ୍ବୁଲାନ୍ସରେ ଯାଉଥିଲେ ଯାତ୍ରୀ, ବାଟରେ ଧରି ବଡ଼ ଜରିମାନା ଲଗାଇଲେ ପୁଲିସ୍ ଓ ଆରଟିଓ

1,979

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି | ସାମାଜିକ ଦୂରତା ବଜାୟ ରଖିବା ଲାଗି ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ଏଥିସହ ପରିବହନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ ରଖାଯାଇଛି। ଏସବୁ ସତ୍ତ୍ବେ କିଛି ଲୋକ ବିଭିନ୍ନ କାରଣରୁ ଯା’ଆସ କରୁଛନ୍ତି ।

ସୂଚନା ମୁତାବକ, ଭଦ୍ରକରେ ଆଜି ଏକ ଆମ୍ବୁଲାନ୍ସ ଲୁଚାଛପାରେ କିଛି ଲୋକଙ୍କୁ ନେଇ ଭଦ୍ରକରୁ ଚାନ୍ଦବାଲି ଯାଉଥିବା ବେଳେ ପୁଲିସ ଓ ଭଦ୍ରକ ଆରଟିଓ ହାତରେ ଧରାପଡିଛି | ତେବେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଚାଳକ ଚମ୍ପଟ ମାରିଥିଲେ ହେଁ  ଭଦ୍ରକ ଆରଟିଓ ଗାଡ଼ି ଜବତ କରି ୩୧,୫୦୦ ଟଙ୍କାର ଚାଲାଣ କାଟିଛନ୍ତି |

ଆମ୍ବୁଲାନ୍ସଟି ୭ଜଣ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ଚାନ୍ଦବାଲି ବ୍ଲକରେ ଥିବା ଘଣ୍ଟେଶ୍ୱରକୁ ଯାଉଥିଲା | ଏହି ସମୟରେ ଡାହାଣୀଗୁଡିଆ ଛକରେ ଆମ୍ବୁଲାନ୍ସକୁ ଅଟକାଇଥିଲେ ଉଭୟ ପୁଲିସ ଓ ଭଦ୍ରକ ଆରଟିଓ | ଭିତରେ ୭ଜଣ ଯାତ୍ରୀଙ୍କୁ ଦେଖି କରୋନା କଟକଣା ଭାଙ୍ଗିଥିବାରୁ ଚାଳକ ନାଁରେ ୩୧,୫୦୦ ଟଙ୍କାର ଚାଲଣ କାଟିଥିଲେ ଭଦ୍ରକ ଆରଟିଓ | ତେବେ ଦେଖିବାକୁ ଗଲେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି | ବର୍ତ୍ତମାନ ପର୍ଯ୍ୟନ୍ତ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି |