ଧୋକା ଦେଲା ଆମ୍ବୁଲାନ୍ସ ! କାନ୍ଧରେ ବୁହାହୋଇ ହସ୍ପିଟାଲ ଗଲେ ଗର୍ଭବତୀ ମହିଳା ।

41

ବାରମ୍ବାର ଦେଖିବାକୁ ମିଳୁଛି ଦେଶର ଦାରିଦ୍ୟ ଚିତ୍ର । କେଉଁଠି ଟଙ୍କା ଅଭାବରୁ ମୃତଦେହକୁ କାନ୍ଧଟିଏ ମିଳୁନି ତ କେଉଁଠି ଗର୍ଭବତୀ ମହିଳାଙ୍କୁ ରାସ୍ତା ଅସୁବିଧା ହେତୁ ଉଚିତ ସମୟରେ ହସ୍ପିଟାଲରେ ପହଞ୍ଚାଯାଇ ପାରୁନି । ଗୋଟାଏ କିମ୍ବା ଦୁଇଟି ରାଜ୍ୟର କଥା ନୁହେଁ, ସାରା ଦେଶକୁ ପ୍ରଭାବିତ କରୁଛି ଅଭାବର କରୁଣ ପରିଣତି । ଗତବର୍ଷ ଓଡ଼ିଶାର ଦାନ ମାଝୀଙ୍କ କଥା ତ ମନେ ଥିବ ନିଶ୍ଚୟ । କେବଳ ଦାନ ମାଝୀ କାହିଁକି ସେହିଭଳି ପରେ ପରେ ଆହୁରି ଗୁଡ଼ାଏ ଘଟଣା ଘଟିଥିବାର ନଜର ଆସିଛି ।

ନିକଟରେ କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କେରଳର ଜଣେ ଗର୍ଭବତୀ ମହିଳାଙ୍କୁ କିଛି ଲୋକ କାନ୍ଧରେ ବୋହି ହସ୍ପିଟାଲ୍ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ପଛର କାରଣ କିନ୍ତୁ ଭିନ୍ନ, ଆମ୍ବୁଲାନ୍ସ ନ ମିଳିବା ହେତୁ ଗର୍ଭବତୀଙ୍କୁ ଉଚିତ ସମୟରେ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଗ୍ରାମବାସୀମାନେ ଭାର କରି ନେବା ପାଇଁ ଚିନ୍ତା କରିଥିଲେ । ଅଦଡ଼ଖଦଡ଼ ରାସ୍ତାରେ ମହିଳାଙ୍କୁ ସଂପର୍କୀୟମାନେ କାନ୍ଧରେ ବୋହି ନେଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରସୂତିଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ସେମାନେ ଆମ୍ବୁଲାନ୍ସ ଡାକିଥିଲେ ବି ଆମ୍ବୁଲାନ୍ସ କିନ୍ତୁ ଆସିନଥିଲା । ଅପରପକ୍ଷରେ ଆମ୍ବୁଲାନ୍ସ ଖରାପ ହୋଇଥିଲା ଏବଂ ସଜଡ଼ା କାମ ଚାଲୁ ରହିଥିଲା ବୋଲି ପହଞ୍ଚି ପାରିଲାନି ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।