ଜମାକାରୀଙ୍କୁ ବଡ଼ ଭେଟି ଦେଲା ଏସବିଆଇ । ନିୟମରେ କଲା ବଡ଼ ପରିବର୍ତ୍ତନ ଉପକୃତ ହେବେ ୪୪ କୋଟିରୁ ଅଧିକ ଖାତାଧାରୀ ।

2,647

କନକ ବ୍ୟୁରୋ: ଗୋଟିଏ ପଟେ ୟେସ୍ ବ୍ୟାଙ୍କକୁ ନେଇ ପୂରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏସବିଆଇକୁ ନେଇ ଆସିଛି ବଡ ଖବର । ଏସବିଆଇ ନିଜ ଗ୍ରାହକଙ୍କୁ ବଡ ଭେଟି ଦେବାକୁ ଯାଉଛି । ଦୀର୍ଘଦିନ ଧରି ଏସବିଆଇ ବ୍ୟାଙ୍କର ସର୍ବନିମ୍ନ ଜମା ଟଙ୍କାକୁ ନେଇ ହନ୍ତସନ୍ତ ହେଉଥିବା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ଏସବିଆଇ ।

ଏଣିକି ଏସବିଆଇ ଖାତାଧାରୀ ସର୍ବନିମ୍ନ ଜମା ଟଙ୍କାକୁ ନେଇ ଆଉ ଝାମେଲାରେ ପଡ଼ିବେନି । କାରଣ ବ୍ୟାଙ୍କ ସର୍ବନିମ୍ନ ଜମାଟଙ୍କା ରାଶିର ସମୟସୀମା ଛାଡ଼ କରିବାକୁ ଘୋଷଣା କରିଛି । ଯାହାଫଳରେ ଏବେ ଏସବିଆଇ ଗ୍ରାହକଙ୍କୁ ସର୍ବନିମ୍ନ ଟଙ୍କା ଜମା ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଏହାଦ୍ୱାରା ବ୍ୟାଙ୍କର ଖାତାଧାରୀମାନେ ଏଣିକି ନିଜ ମନମୁତାବକ ଅର୍ଥ ଜମା କରିପାରିବେ । ଏପରିକି ବ୍ୟାଙ୍କ ଖାତରେ ସର୍ବନିମ୍ନ ବାଲାନ୍ସ ହଜାର ଟଙ୍କାରୁ କମ୍ ମଧ୍ୟ ରହିଲେ କୌଣସି ଫାଇନ୍ ଲାଗିବ ନାହିଁ ବୋଲି ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, ଗତ କିଛି ବର୍ଷ ହେବ ଏସବିଆଇ ସର୍ବନିମ୍ନ ଜମା ଟଙ୍କାଉପରେ ଫାଇନ୍ ନେଉଥିବାରୁ ଖାତାଧାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ଏପରିକି ଜାମାକାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଥିଲା । ତେଣୁ ଭାରତୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସର୍ବନିମ୍ନ କ୍ୟାପ୍ ନିୟମ ଉଠାଇ ଦେଇଛି । ତେଣୁ ବର୍ତ୍ତମାନ ବ୍ୟାଙ୍କର ଏଭଳି ବଡ଼ ନିଷ୍ପତି ଦ୍ୱାରା ପାଖାପାଖି ୪୪ କୋଟି ଏସବିଆଇ ଖାତାଧାରୀଙ୍କୁ ବଡ଼ ଫାଇଦା ମିଳିବ ବୋଲି ଆଶା କରାଯାଉଛି ।

ସେପଟେ ଏସବିଆଇର ବିଭିନ୍ନ କାଟାଗୋରୀ ମାଧ୍ୟମରେ ଖାତାଧାରୀଙ୍କୁ ସର୍ବନିମ୍ନ ଜମା ରାଶି ଭାବେ ୧୦୦୦ ଟଙ୍କାରୁ ୩୦୦୦ ହଜାର ଟଙ୍କା ରଖିବାକୁ ପଡୁଛି । ସେହିପରି ମେଟ୍ରୋସିଟିରେ ରହୁଥିବା ଏସବିଆଇ ସେଭିଙ୍ଗ୍ ଆକାଉଣ୍ଟ ଧାରୀଙ୍କୁ ପାସବୁକ୍ ରେ ସର୍ବନିମ୍ନ ଜମାରାଶି ୩ ହଜାର ଟଙ୍କା ରହିଥିବାବେଳେ ସେମି ଅର୍ବାନ ସେଭିଙ୍ଗ୍ ଆକାଣ୍ଟଧାରୀଙ୍କୁ ୨ ହଜାର ଟଙ୍କ ଏବଂ ଗ୍ରାମାଞ୍ଚଳରେ ଥିବା ସେଭିଙ୍ଗ୍ ଆକାଣ୍ଟଧାରୀଙ୍କୁ ସର୍ବନିମ୍ନ ଜମା ରାଶି ୧୦୦୦ ଟଙ୍କା ରଖିବାକୁ ପଡୁଛି । ଆଉ ଯଦି ଆପଣଙ୍କ ବ୍ୟାଙ୍କ୍ ଖାତାରେ ସର୍ବନିମ୍ନ ଜମାରାଶି ନରଖନ୍ତି ତେବେ ଏସବିଆଇ ପକ୍ଷରୁ ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡୁଥିଲା । ଏହାକୁ ନେଇ ଏସବିଆଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ବ୍ୟାଙ୍କ ଉପରେ ପୁର୍ନବାର ଭରସା ବଢ଼ିବା ପାଇଁ ବଡ଼ ନିଷ୍ପତି ନେଇଛି ଏସବିଆଇ ।