ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣା ! ଜଣକୁ ଅଟକ ରଖିଛି ପୁଲିସ୍

26

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସ ଜଣକୁ ଅଟକ ରଖିଛି । ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ପିଡିପି ବିଧାୟକ ଏଜାଜ ଅମହମଦ ମୀରଙ୍କ ଡ୍ରାଇଭରଙ୍କୁ ଅଟକ କରିଛି ପୁଲିସ । ମୀରଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ଜମ୍ମୁ କଶ୍ମୀରର ଜଣେ ପୁଲିସ କର୍ମୀ । ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସହ ଏଜାଜାଙ୍କ ଡ୍ରାଇଭରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା କରୁଛି ପୁଲିସ୍  । ପିଡିିପି ବିଧାୟକ ଏଜାଜ ଅହମଦ ମୀରଙ୍କ ଡ୍ରାଇଭର ତୌସିଫ ଅହମଦ ପୁଲୱାମା ଅଂଚଳର ବାସିନ୍ଦା । ସାତ ମାସ ପୂର୍ବରୁ ଜମ୍ମୁ କଶ୍ମୀର ପୁଲିସର ସିକ୍ୟୁରିଟି ୱିଙ୍ଗରେ ତୌସିଫ କାର୍ଯ୍ୟ କରୁଥିଲା ।

ଏହାପରେ ତାକୁ ପିଡିପି ବିଧାୟକଙ୍କ ଡ୍ରାଇଭର ଭାବେ ନିଯୁକ୍ତି ଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ସହ ଲିଙ୍କରେ ଥିଲା ତୌସିଫ । ଏହାସହ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୁଲିସ । ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ପାଇଁ ୬ଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଗଠନ କରିଛି ଜମ୍ମୁ କଶ୍ମୀର ପୁଲିସ । ଗତ ସୋମବାର ଦିନ ଅନନ୍ତନାଗଠାରେ ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ  । ଏହି ଆକ୍ରମଣରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ଜଣ ଆହତ ହୋଇଥିଲେ  ।