ଖରାପ ପାଗର ପ୍ରଭାବ ! ଅଗଷ୍ଟ ୪ ପର୍ଯ୍ୟନ୍ତ ସ୍ଥଗିତ ହେଲା ଅମରନାଥ ଯାତ୍ରା

100

କନକ ବ୍ୟୁରୋ : ଅଗଷ୍ଟ ୪ପର୍ଯ୍ୟନ୍ତ ସ୍ଥଗିତ ହେଲା ଅମରନାଥ ଯାତ୍ରା । ଆଗାମୀ କିଛି ଦିନ ପାଇଁ ଜମ୍ମୁକଶ୍ମୀରରେ ପାଗ ଖରାପ ରହିବାର ଆଶଙ୍କା ରହିଛି । ଆସନ୍ତା କିଛି ଦିନ ଜମ୍ମୁକଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯେଉଁଥିପାଇଁ ଜମ୍ମୁ-ଶ୍ରୀନଗରରେ ମଝି ରାସ୍ତାରେ ଅଧିକ ଭୁସ୍ଖଳନ ହେବାର ଆଶଙ୍କାକୁ ନଜରରେ ରଖି ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଗତ ୩୦ଦିନ ମଧ୍ୟରେ ପାଖାପାଖି ୩ଲକ୍ଷ ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିସାରିଛନ୍ତି ।

ବର୍ଷା ଓ ଭୁସ୍ଖଳନ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ରହିଥିବାରୁ ବୁଧବାର ଦିନ ଭଗବତୀ ନଗର ଯାତ୍ରୀ ନିବାସରୁ କୌଣସି ଯାତ୍ରୀକୁ ଆଗକୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇନାହିଁ । ଜୁଲାଇ ୧ତାରିଖରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଅମରନାଥ ଶ୍ରାଇନ ବୋର୍ଡ ଅନୁଯାୟୀ ଏପର୍ଯ୍ୟନ୍ତ ୩ଲକ୍ଷ ୩୧ହଜାର ୭୭୦ଜଣ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ କରିସାରିଛନ୍ତି । ଏବଂ ମଙ୍ଗଳବାର ଦିନ ପ୍ରାୟ ୧୦ହଜାର ୩୬୦ଜଣ ଅମରନାଥ ଦର୍ଶନ କରିଛନ୍ତି ।