ବାଲଟାଲ ରାସ୍ତାରେ ଫସିଲେ ଅମରନାଥ ଶ୍ରଦ୍ଧାଳୁ ! ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ।

40

କନକ ବ୍ୟୁରୋ : ପୁଣି ଥରେ ଅମରନାଥ ଯାତ୍ରୀଙ୍କୁ ଅଧାବାଟରେ ଅପେକ୍ଷା କରିବାକୁ ପଡିଛି । ଲଗାତାର ପ୍ରବଳ ବର୍ଷା ଲାଗିରହିଥିବାରୁ ବାଲଟାଲ ରାସ୍ତାରେ ଭକ୍ତମାନେ ଫସିଥିବା ସୂଚନା ମିଳିଛି । ଅମରନାଥ ଯାତ୍ରୀମାନେ ଚଳିତ ବର୍ଷ ଅନେକ ଅସୁବିଧାର ସମ୍ମୁଖୀନ ହେଲେଣି । ତଥାପି ସେମାନଙ୍କ ମନରେ ଥବା ଭକ୍ତି ଭାବନା ସେମାନଙ୍କୁ ଆଗକୁ ନେଇ ଚାଲିଛି । ବର୍ତ୍ତମାନ ସମୟରେ ବି ଯାତ୍ରାକୁ ବନ୍ଦ ରଖାଯାଇଛି ।

ଜାମ୍ମୁ-କାଶ୍ମୀରର ରାଜ୍ୟପାଳ କହିଛନ୍ତି ଯେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅମରନାଥ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକ ଅଧାରାସ୍ତାରେ ହିଁ ଅପେକ୍ଷା କରି ରହିଛନ୍ତି । ଖବର ପାଇଲା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବାୟୁସେନାର ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଉଛି । ଭକ୍ତମାନଙ୍କୁ ସୁରକ୍ଷିତ ରଖିବା ଓ ଉଦ୍ଧାର କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଉଦ୍ଧାର ସମସ୍ତ ଭକ୍ତଙ୍କୁ ସେନା କ୍ୟାମ୍ପରେ ରଖାଯାଉଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୬ ପର୍ଯ୍ୟାୟରେ ୩୨୬ ରୁ ଉଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ବେଳେ ରୋଗୀ ଓ ବୟସ୍କ ମାନଙ୍କୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି । ପ୍ରବଳ ବର୍ଷାରେ ବାଲଟଲ ନିକଟରେ ଧୋଇଯାଇଥିବା ରାସ୍ତାକୁ ମଧ୍ୟ ସଫା କରାଯିବା ଲାଗି ପ୍ରୟାସ ଆରମ୍ଭ କରାଯାଉଛି । ମଙ୍ଗଳବାର ଏଠାରେ ପ୍ରବଳ ବର୍ଷା ହେବାରୁ ୪ ଜଣ ତୀର୍ଥଯାତ୍ରୀ ଓ ଜଣେ ସ୍ଥାନୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଥିବା ସହ ୧୦ ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିଲେ । ବାରମ୍ବାର ବର୍ଷା ହେଉଥିବା କାରଣରୁ ଅମରନାଥ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମଖୀନ ହେଉଛନ୍ତି । କେବଳ ବାଲଟାଲ ସଂଗମ ଗୁମ୍ଫା ନିକଟରେ ସବୁଠାରୁ ଅଧିକ ଥର ରାସ୍ତା ଅବୋରୋଧ ହେଲାଣି ।

ତେବେ ବାରମ୍ବାର ବାଦଲ ଫଟା ବର୍ଷା ହେଉଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୈାଣସି ଭକ୍ତଙ୍କୁ ବାଲଟାଲ ଆଗକୁ ଛଡାଯାଉନାହିଁ । ଏପଟେ ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ହେବାରୁ ୩ ଜଣ ଭକ୍ତ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯାତ୍ରା ସମୟ ସରି ଆସୁଥିବା ହେତୁ କିପରି ଭାବରେ ସମସ୍ତ ଯାତ୍ରୀମାନେ ଭଗବାନ ଅମରନାଥଙ୍କୁ ଦର୍ଶନ କରିବେ ତାହାକୁ ନେଇ ଚିନ୍ତାରେ ପ୍ରଶାସନ । ପାଣିପାଗ ବିଭାଗ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏଣିକି ପ୍ରାୟ ସବୁବେଳେ ବର୍ଷା ହେବ ତେଣୁ ସମସ୍ତ ଯାତ୍ରୀ କିପରି ଭାବରେ ସୁରକ୍ଷିତ ରହିବେ ତାହା ହିଁ ସବୁଠାରୁ ବଡ ଦାୟିତ୍ୱ ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି । ଏପଟେ ଶ୍ରଦ୍ଧାଳୁମାନେ କହିଛନ୍ତି ଯେ, ଆମର ବିଶ୍ୱାସ ଭଗବାନ ଆମକୁ ନିଶ୍ଚିତ ଭାବରେ ଦର୍ଶନ ଦେବେ । ତେଣୁ ଆମେ ମାନେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବୁ ।