କଡା ସୁରକ୍ଷା ମଧ୍ୟରେ ଅମରନାଥ ଯାତ୍ରା ଆରମ୍ଭ : ଜମ୍ମୁ ଭଗବନ୍ତ ନଗର ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ କଲେ ପ୍ରଥମ ବ୍ୟାଚ୍ ଯାତ୍ରୀ

37

କନକ ବ୍ୟୁରୋ : ବୁଧବାର ଦିନ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବନ୍ତ ନଗରସ୍ଥିତ ମୂଳ କ୍ୟାମ୍ପରୁ ପ୍ରଥମ ବ୍ୟାଚ୍ ଯାତ୍ରୀ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଜମ୍ମୁ ଓ କଶ୍ମୀରର ମୁଖ୍ୟ ଶାସନ ସଚିବ ବିଭିଆର୍ ସୁବ୍ରମଣ୍ୟମ୍, ରାଜ୍ୟପାଳଙ୍କ ଉପଦେଷ୍ଟା ବିବି ବ୍ୟାସ ଏବଂ ବିଜୟ କୁମାର ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଅମରନାଥର ଯାତ୍ରା ଗୋଟାଏ ମହତ୍ୱପୂର୍ଣ୍ଣ ଘଟଣା। ସର୍ବସାଧାରଣ, ନିରାପତ୍ତା ବିଭାଗ ଏବଂ ଉନ୍ନୟନ ବିଭାଗର ସହଯୋଗରେ ଗୋଟିଏ ଯୋଜନା କରାଯାଇ ଯାତ୍ରୀମାନଙ୍କ ଭଲମନ୍ଦ ଏବଂ ସୁରୁଖୁରୁରେ ଗମନାଗମନର ସୁବିଧା ନିମନ୍ତେ ଉଦ୍ୟମ କରୁଛୁ ବୋଲି ରାଜ୍ୟପାଳଙ୍କ ଉପଦେଷ୍ଟା ବିଜୟ କୁମାର କହିଛନ୍ତି।

ଆଜି ସକାଳେ ସୁରକ୍ଷା ବଳଙ୍କ ତତ୍ତ୍ୱାବଧାନରେ ଦେଶର ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ କଶ୍ମୀରର ଦ୍ୱୈତ ବେସ୍ କ୍ୟାମ୍ପ୍ ବଲତାଲ୍ ଏବଂ ପାହାଲଗାମକୁ ଆସୁଛନ୍ତି। ସେଠାରୁ ସେମାନେ ଗୁରୁବାର ଦିନ ପାଦରେ ଚାଲି ଚାଲି ୩, ୮୮୦ ମିଟର୍ ଉଚ୍ଚରେ ଥିବା ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

ଅମରନାଥ ଯାତ୍ରା ନିମନ୍ତେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ସିଆରପିଏଫର ଆଇଜି ଅଭୟ ବୀର ଚୌହାନ ସେ ଅଞ୍ଚଳରେ ଅବସ୍ଥାପିତ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।