ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ପୁଲିସ, ସିଆରପିଏଫ ଓ ଏନଏସଜି

37

କନକ ବ୍ୟୁରୋ : ଅମରନାଥ ଯାତ୍ରା ପାଇଁ ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା । ରମଜାନ ସିଜଫାୟାର ସମୟରେ ଆତଙ୍କବାଦୀଙ୍କ ହିଂସାକାଣ୍ଡକୁ ନଜରରେ ରଖି ସୁରକ୍ଷା କଡାକଡି କରାଯାଇଛି । ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ବ୍ଲାକ କମାଣ୍ଡୋ ବା ଏନଏସଜି କମାଣ୍ଡୋ । ଜୁନ ୨୮ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଚଳିତ ବର୍ଷ ମଧ୍ୟ ଅମରନାଥ ଯାତ୍ରୀଙ୍କ ଉପରେ ହମଲା କରିବାକୁ ଆତଙ୍କବାଦୀ ଯୋଜନା କରିଥିବା ଗୁଇନ୍ଦା ସୂଚନା ମିଳିଛି ।

ତେଣୁ ଜମ୍ମୁକଶ୍ମୀର ପୁଲିସ, ସିଆରପିଏଫ ଓ ଏନଏସଜି କମାଣ୍ଡୋ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ଏନଏସଜିର କ୍ରେକ ଟିମ୍ ସ୍ନାଇପର ରାଇଫଲ, ପେନିଟ୍ରେସନ ରାଡାର ସହ ଗ୍ଲୋକ ପିସ୍ତଲରେ ସଜ୍ଜିତ ହୋଇ ଯାତ୍ରୀଙ୍କ ଯିବା ଆସିବା ପଥ ଉପରେ ତୀକ୍ଷଣ ନଜର ରଖିବେ । ଏହାଛଡା ୨୩୮ କଂପାନୀ ସୁରକ୍ଷାକର୍ମୀ ଓ ଜମ୍ମୁକଶ୍ମୀର ପୁଲିସର ଅଭେଦ୍ୟ ଦୁର୍ଗ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବ । ଗତବର୍ଷ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ହମଲା ହୋଇଥିଲା । ଆଉ ଏଥିରେ ୭ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ତେଣୁ ଚଳିତ ବର୍ଷ ମଧ୍ୟ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ହମଲା ଆଶଙ୍କା ରହିଛି ।