ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ! ୭ ମୃତ, ୩୨ ଆହତ

31

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଟାର୍ଗେଟରେ ତୀର୍ଥଯାତ୍ରୀ । ଅମରନାଥ ଯାତ୍ରୀଙ୍କ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୨୦ ମିନିଟ୍ ସମୟରେ, ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫ଜଣ ଡାକ୍ତରଖାନାକୁ ନେବା ସମୟରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ସୂଚନା ମିଳିଛି । ଖବର ଅନୁସାରେ ଗୁଜୁରାଟରୁ ଅମରନାଥ ଯାତ୍ରା ପାଇଁ ଯାଇଥିବା ଯାତ୍ରୀଙ୍କୁ ଉପରେ ଏହି ଆକ୍ରମଣ ହୋଇଛି ।

ଆତଙ୍କବାଦୀଙ୍କ ଏକ ଦଳ ଅନନ୍ତନାଗ ଜିଲ୍ଲାର ବାଟେନଗୋ ଏବଂ ଖାନାବାଲ୍ ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ । ଠିକ୍ ଏହି ସମୟରେ ଏହି ତୀର୍ଥଯାତ୍ରୀ ବସ୍ ଏହି ଆକ୍ରମଣର ଶିକାର ହୋଇଥିଲା । ଘଟଣା ପରେ ସେଠାକୁ ସିଆରପିଏଫ୍ ଯବାନଙ୍କୁ ପଠାଯାଇଛି । ସୁରକ୍ଷାକର୍ମୀମାନେ ଏହି ଅଂଚଳରେ ଖାନତଲାସୀ ଜାରି ରଖିଛନ୍ତି ।

ତୀର୍ଥଯାତ୍ରୀଙ୍କ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ସିଆରପିଏଫ୍ ଯବାନଙ୍କ ଏକ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଘଟଣାକୁ କାବୁ କରିବାକୁ ଉଦ୍ୟମ କରିଛି । ଏହି ଘଟଣା ପରେ ସେଠାରେ ପୁଲିସ, ସେନାର ଯବାନ, ବିଏସ୍ଏଫ ଯବାନ ଏବଂ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ୩ଶହ କିଲୋମିଟରର ଏହି ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସ୍ଥାନୀୟ ଅଂଚଳରେ ଯବାନମାନେ ସର୍ଚ୍ଚ ଅପସେନକୁ କଡ଼ାକଡ଼ି କରିଛନ୍ତି ।